ତିହିଡି: ଆଜି ସରୁଛି ଧାମନଗର ଉପନିର୍ବାଚନର ପ୍ରଚାର। ସନ୍ଧ୍ୟା ପରେ ସବୁ ଦଳର ଷ୍ଟାର ପ୍ରଚାରକ ଘରକୁ ଫେରିଯିବେ । ଏହା ପରେ ଆରମ୍ଭ ହେବ ଅସଲ ଖେଳ । କିଣାବିକା ବି ହେବ । ମନ ଜିଣିବାକୁ ନାନା ରକମର ମୁଲଚାଲ କରାଯିବ । ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇ ନେତା ଓ କର୍ମାମାନେ ଭୋଟରଙ୍କୁ ପ୍ରଭାବିତ କରିବେ । ଯିଏ ଯେତେ ସକ୍ରିୟ ହେଲା, ସେ ଦଳ ସେତେ ଭୋଟ ଗୋଟାଇ ପାରିବ ବୋଲି ଆକଳନ କରାଯାଇଛି ।
ଶେଷ ଦିନରେ ଅର୍ଥାତ ମଙ୍ଗଳବାର ସକାଳେ ଧୁଷୁରୀ ଜୋନ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପାଇଁ ଶେଷ ପ୍ରଚାର କରୁଛନ୍ତି । ବିଜେଡି ପାଇଁ ତିହିଡି ବ୍ଲକର ୬ନଂ ଜୋନ୍ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଚାର କରିବାକୁ ଆସୁଛନ୍ତି । ଗତ ଗୋଟିଏ ସପ୍ତାହ ହେଲା ବିଜେପି-ବିଜେଡି-କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଦମଦାର ପ୍ରଚାରରେ ଅଞ୍ଚଳ କମ୍ପୁଥିଲା । ମଙ୍ଗଳବାର ସନ୍ଧ୍ୟାରୁ ସବୁ ନିରବ ହେବ ଓ ଆରମ୍ଭ ହେବ ଅନ୍ଧାରି ବିଜେ ।
ଏଥିପାଇଁ ସବୁ କାଇଦା କଟକଣା ପ୍ରସ୍ତୁତ କରିଛନ୍ତି ସବୁ ରାଜନୈତିକ ଦଳ । ବିଶେଷକରି ବିଜେଡି ଓ ବିଜେପି ଆରୋପ ପ୍ରତ୍ୟାରୋପ କରୁଥିଲେ ମଧ୍ୟ ଅନ୍ଧାରି ବିଜେରେ ସାମିଲ ହେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା – ସବୁ ଦଳ ରୋଡ୍ ସୋ ଓ ସଭା ଯେତେ ଯାହା କଲେ ମଧ୍ୟ ଗାଁର ଭୋଟର ମନ ସ୍ଥିର କରିସାରିଲେଣି କାହାକୁ ଦେବେ ଭୋଟ । ଶାସକ ବିଜେଡି ନବୀନଙ୍କ ଲୋକପ୍ରିୟତାକୁ ଭରସା କରିବା ସହ ଶଙ୍ଖ ଚିହ୍ନକୁ ନେଇ ପ୍ରଚାରରେ ମାତୁଛି ।