ସମ୍ପର୍କ ଆଗେ କାନାଡା

0

ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ ନରମିଲା କାନାଡ଼ା। ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟାକୁ ନେଇ ଭାରତକୁ ବାରମ୍ବାର ଦୋଷାରୋପ କରିବା, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କଡ଼ା ଆଭିମୁଖ୍ୟ ମଧ୍ୟରେ କିଛି ଭିନ୍ନ ବିବୃତ୍ତି ଦେଇଛନ୍ତି କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀ। ଭାରତ ସହ କାନାଡ଼ା ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ବିଲ୍ ବ୍ଲେୟାର୍।

ଗ୍ଲୋବାଲ୍ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ପ୍ରତିରକ୍ଷା ମନ୍ତ୍ରୀ ବ୍ଲେୟାର କହିଛନ୍ତି, “ଏସବୁ ପରିସ୍ଥିତି ମଧ୍ୟରେ ଭାରତ ସହ ସମ୍ପର୍କ ଆମ ପାଇଁ ଗୁରୁତ୍ୱ ବହନ କରୁଛି। କିନ୍ତୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଅଭିଯୋଗର ବି ଅନୁସନ୍ଧାନ କରାଯିବା ଉଚିତ। ଆମେ ବୁଝିପାରୁଛୁ ଯେ ଏପରି ପରିସ୍ଥିତରେ ଭାରତ ସହ ଆମର ସମ୍ପର୍କ ଏକ ଆହ୍ୱାନପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ। କିଛି ଦିନ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ଏହାକୁ ପ୍ରମାଣିତ କରିଛି।”

କିନ୍ତୁ ଏସବୁ ମଧ୍ୟରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ପ୍ରକୃତରେ ସତ କଣ ଜାଣିବା ଉଚିତ୍ ବୋଲି ବିଲ୍ ବ୍ଲେୟାର୍ କହିଛନ୍ତି। ସେ ଆହୁରି କହିଛନ୍ତି, ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଆମର ସାର୍ବଭୌମତ୍ୱର ଉଲ୍ଲଂଘନକୁ ନେଇ କାନାଡ଼ା ଏକ ବିଶେଷ ଚିନ୍ତାରେ ପଡ଼ିଯିବ।

ସେପଟେ ଗତକାଲି କାନାଡ଼ାର ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା, ଯେଉଁଥିରେ କୁହାଯାଇଛି କି ପାଞ୍ଚଟି ଦେଶକୁ ନେଇ ଗଠିତ ‘ଫାଇଭ୍ ଆଇଜ୍’ ସଂଗଠନର ଜଣେ ସଦସ୍ୟ କାନାଡ଼ାକୁ ନିଜ୍ଜାର ହତ୍ୟାର ଗୁପ୍ତ ସୂଚନା ଦେଇଥିଲା। ସେହି ଦେଶ ଆମେରିକା ବୋଲି ସ୍ପଷ୍ଟ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା।

Leave A Reply

Your email address will not be published.