ରାଜନଗରରେ ଜାତିଆଣ ଘଟଣାର ମିମାଂସା ହୋଇଛି । ଜାତିପ୍ରଥା ପରମ୍ପରା ଉପରେ ପୂର୍ଣ୍ଣଛେଦ ପଡିଛି । ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ିରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ, ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ଅଭିଭାବକ ମାନେ ଶିଶୁଙ୍କୁ ଅଙ୍ଗନବାଡ଼ିକୁ ଛାଡିଛନ୍ତି ।
ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସିଡିପିଓ ଦୀପାଳି ମିଶ୍ର ସହ କର୍ମୀ ଲିଜାରାଣୀ ପାଣ୍ଡଵ ଓ ସହାୟିକା ଶର୍ମିଷ୍ଠା ସେଠି ପିଲା ମାନଙ୍କୁ ଫୁଲ ଚନ୍ଦନଦେଇ ସ୍ୱାଗତ କରିଥିଲେ ।

ଗତକାଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ପଙ୍ଗତ ଭୋଜନରେ ଗାଁ ଲୋକଙ୍କ ସହ ବସି ଖାଇଥିଲେ । ନିଜେ ଅଙ୍ଗନବାଡି ସହାୟିକା ଖାଦ୍ୟ ପରଷିଥିଲେ । କୌଣସି ଭେଦଭାବ ନାହିଁ ବାର୍ତ୍ତା ଜାତୀୟସ୍ତରକୁ ଯାଉ ବୋଲି ସାଂସଦଙ୍କ ସମେତ ଗ୍ରାମବାସୀ କହିଥିଲେ ।
କହିରଖୁଛୁ ଯେ, ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘ ୩ ମାସ ଧରି ସମସ୍ୟା ଲାଗିରହିଥିଲା । ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣିଥିଲେ ।