ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

0

ନୂଆଦିଲ୍ଲୀ :ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ତଥା କଡ଼ପା ସାଂସଦ ୱାଇଏସ୍ ଅବିନାଶ ରେଡ୍ଡୀଙ୍କ ବାପା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଆଜି ଗିରଫ କରିଛି ସିବିଆଇ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଛି। ବିବେକାନନ୍ଦ ମଧ୍ୟ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଥିଲେ। ଅର୍ଥାତ୍ ନିଜ ଭାଇଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି ଭାସ୍କର ରେଡ୍ଡୀ।

ସିବିଆଇର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ଭାସ୍କର ରେଡ୍ଡୀଙ୍କୁ କଡ଼ପା ଜିଲ୍ଲାର ପୁଲିବେନ୍ଦୁଲା ସ୍ଥିତ ତାଙ୍କ ଘରୁ ଗିରଫ କରିଛି। ତାଙ୍କୁ ଗିରଫ କରି ହାଇଦ୍ରାବାଦ ଅଣାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

୨୦୧୯ ସାଧାରଣ ନିର୍ବାଚନର ପ୍ରାୟ ୩ ସପ୍ତାହ ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ରାତିରେ ବିବେକାନନ୍ଦ ରେଡ୍ଡୀଙ୍କୁ ତାଙ୍କର କଡ଼ପା ଜିଲ୍ଲା ପୁଲିବେନ୍ଦୁଲା ସ୍ଥିତ ଘରେ ହତ୍ୟା କରାଯାଇଥିଲା। ସେ ସେତେବେଳେ ଘରେ ଏକୁଟିଆ ଥିଲେ। ପ୍ରଥମେ ଏହି ମାମଲାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ କରୁଥିଲା। ୨୦୨୦ରେ ଏହି ମାମଲାର ତଦନ୍ତଭାର ସିବିଆଇକୁ ଯାଇଥିଲା।

ବିବେକାନନ୍ଦଙ୍କ ଝିଅ ସୁନୀତା ରେଡ୍ଡୀ ଏହି ଘଟଣାରେ ସଂପର୍କୀୟଙ୍କ ହାତ ଥିବା ଆଶାଙ୍କା କରିଥିଲେ ଏବଂ ଏନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତା’ପରେ ମାମଲାର ତଦନ୍ତଭାର ସିବିଆଇ ହାତକୁ ଯାଇଥିଲା। ମାମଲା ସିବିଆଇକୁ ଯାଇଥିଲେ ବି ତଦନ୍ତ ଧିମା ଚାଲିଥିଲା। ଗତ ସପ୍ତାହରେ ସୁପ୍ରିମକୋର୍ଟ ସିବିଆଇକୁ ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ (ଏସ୍‌ଆଇଟି) ଗଠନ କରି ତଦନ୍ତକୁ ତ୍ୱରାନ୍ୱିତ କରିବା ସହିତ ଏପ୍ରିଲ ୩୦ ତାରିଖ ମଧ୍ୟରେ ସାରିବା ପାଇଁ କହିଥିଲେ। ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ହାଇଦ୍ରାବାଦକୁ ଟ୍ରାନ୍ସଫର କରି ଦେଇଥିଲେ। ଆନ୍ଧ୍ର ପ୍ରଦେଶରେ ମାମଲାଟି ରହିଲେ ତଦନ୍ତରେ ସ୍ୱଚ୍ଛତା ରହି ନପାରେ ଓ ନ୍ୟାୟ ମିଳି ନପାରେ ବୋଲି ମୃତ ବିବେକାନନ୍ଦ ରେଡ୍ଡୀଙ୍କ ଝିଅ ଆଶଙ୍କା ପ୍ରକାଶ କରିବା ପରେ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.