ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ !
ପାଣାଜୀ (ଆମ ଟିଭି): ବହୁ ଚର୍ଚ୍ଚିତ ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟକୁ ନେଇ ଲାଗି ରହିଛି ସସ୍ପେନ୍ସ। ପ୍ରତିଦିନ ଏହି ହତ୍ୟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ଗୋଆ ପୁଲିସ ୩ ଅଭିଯୁକ୍ତଙ୍କୁ ମାପୁସା କୋର୍ଟର ହାଜର କରିଥିଲା। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି। କୋର୍ଟରେ ହାଜର ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ କୁର୍ଲି କ୍ଲବ ମାଲିକ ଏଡୱିନ୍ ନ୍ୟୁନ୍ସ, ଡ୍ରଗ୍ସ ପେଡଲର ଦତ୍ତାପ୍ରସାଦ ଗାଁବଙ୍କର ଏବଂ ରାମା ମାଣ୍ଡ୍ରେକର ଅଛନ୍ତି। ଏହାପୂର୍ବରୁ କୋର୍ଟ ସୋନାଲି ଫୋଗଟଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂହଙ୍କୁ ୧୦ ଦିନିଆ ପୁଲିସ ହେପାଜତକୁ ପଠାଇଥିଲେ।
ଏହାରି ଭିତରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ମାମଲାକୁ ନେଇ ବଡ ବୟାନ ଦେଇଛନ୍ତି। ଯଦି ଆବଶ୍ୟକ ପଡେ ତେବେ ସୋନାଲି ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ସରକାରଙ୍କର କୌଣସି ଆପତ୍ତି ନାହିଁ। ସେପଟେ ସିବିଆଇକୁ ମାମଲା ହସ୍ତାନ୍ତର ହେବାର ଖବର ମଧ୍ୟରେ ସୋନାଲିଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ହିସାରର ରିଙ୍କୁ ଢ଼ାକା କହିଛନ୍ତି ଯେ ‘ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିବାରୁ ଆମେ ଖୁସି। ବର୍ତ୍ତମାନ ଆମେ ନ୍ୟାୟ ପାଇବୁ।’ ତେଣୁ ଏହି ମାମଲାରେ ସିବିଆଇ ଯାଞ୍ଚ କରି ପାରେ ବୋଲି ଚର୍ଚ୍ଚା ହେଉଛି।