ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ନୋଟିସ୍

0

ନୂଆଦିଲ୍ଲୀ(ଆମ ଟିଭି): ଦିନକୁ ଦିନ ଲାଲୁଙ୍କ ଅଡ଼ୁଆ ବଢିବାରେ ଲାଗିଛି । ‘ଜମି ବଦଳରେ ଚାକିରି’ ଘୋଟାଲା କେସରେ ଗତକାଲି ଇଡି ରେଡ୍ ପରେ ଏବେ ଏହି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ୍ କରିଛି । ତେବେ ଏହା ପୂର୍ବରୁ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ୍ କରିଥିଲା । ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ୍ କରିଥିଲା ସିବିଆଇ । ହେଲେ ସେତେବେଳେ ତେଜସ୍ୱୀ ସିବିଆଇ ନିକଟରେ ହାଜର ହୋଇନଥିଲେ ।

ଶୁକ୍ରବାର ‘ଲ୍ୟାଣ୍ଡ୍ ଫର ଜବ୍’ ସ୍କାମ ମାମଲାରେ ଇଡି ଦିଲ୍ଲୀ ସହିତ ପାଟଣାରେ ଛାପାମାରି କରିଥିଲା । ୧୫ ଜାଗାରେ ଇଡି ପକ୍ଷରୁ ରେଡ୍ ହେବା ସହିତ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଘରେ ହେବା ସହିତ ରାଷ୍ଟ୍ରୀୟ ଜନତା ଦଳର ନେତାଙ୍କ ଘରେ ବି ଚଢାଉ ହେଇଥିଲା । ତେବେ ଏହି ଚଢାଉ ବେଳେ ଯାଞ୍ଚ ଏଜେନ୍ସି ନଗଦ ଟଙ୍କା ଓ ବିଦେଶୀ ମୁଦ୍ରା ଜବତ କରିଛି ।

ଶୁକ୍ରବାର ପାଖାପାଖି ୧୪ ଘଣ୍ଟା ରେଡ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ମୋଟ୍ ୧୫ଟି ଠିକଣାରେ ହୋଇଥିବା ରେଡରେ ୫୩ଲକ୍ଷ ନଗଦ ଟଙ୍କା, ୧୯ଶହ ଡଲାର, ୫୪୦ଗ୍ରାମ ସୁନାର ବିସ୍କୁଟ ଓ ଦେଢ କିଲୋ ସୁନା ଜବତ କରାଯାଇଛି । ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ଚାକିରି ଦେବା ନାଁରେ ଆଶାୟୀଙ୍କଠୁ ଶସ୍ତାରେ ଜମି ନେବା ମାମଲାରେ ଇଡି ଏହି ରେଡ୍ କରିଛି ।

ରେଡକୁ ନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲାଲୁ ଯାଦବ ଟ୍ୱିଟ୍ କରି କହିଛନ୍ତି, ଆମେ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ପର୍ୟ୍ୟାୟ ଦେଖିଛୁ । ଆମେ ମଧ୍ୟ ସେହି ଯୁଦ୍ଧରେ ଯୁଦ୍ଧ କରିଥିଲୁ । ଆଜି ଘରେ ତାଙ୍କର ଗର୍ଭବତୀ ବୋହୂକୁ ବିନା କୌଣସି ଆଧାରରେ ଇଡି ଡେରା କରିଛି । ଏହା ପଛରେ ଶାସକ ଦଳ ବିଜେପି ବୋଲି ସେ ଦାବି କରିଛନ୍ତି । ତେବେ ଅନ୍ୟପକ୍ଷରେ ଲାଲୁ ଯାଦବଙ୍କୁ ସମର୍ଥନ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଇଡି ୫୩ ଲକ୍ଷ ଟଙ୍କା, ୧,୯୦୦ ଆମେରିକୀୟ ଡଲାର, ପ୍ରାୟ ୧ କିଲୋରୁ ଅଧିକ ସୁନା ଜବତ କରିଛି ।

Leave A Reply

Your email address will not be published.