ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଝଟକା

0

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଓ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତିକୁ ଶକ୍ତ ଝଟକା ଲାଗିଛି। କେସିଆରଙ୍କ ଦଳର କିଛି ବିଧାୟକଙ୍କୁ ବିଜେପି କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗର ତଦନ୍ତ ଏବେ ରାଜ୍ୟ ପୁଲିସ୍‌ କରିବ ନାହିଁ। ଏହାର ତଦନ୍ତ ସିବିଆଇ କରିବ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି କିଣାବିକା ଘଟଣାରେ ଭାରତ ରାଷ୍ଟ୍ର ସମିତର ୪ ଜଣ ବିଧାୟକ ଓ ବିଜେପି ସହ ଲିଙ୍କ ଥିବା କିଛି ଲୋକ ସାମିଲ ଥିବା ନିଜେ କେସିଆର ଭିଡିଓ ଜାରି କରି ଅଭିଯୋଗ କରିଥିଲେ। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ। କିନ୍ତୁ ହାଇକୋର୍ଟ ଏସଆଇଟିକୁ ରଦ୍ଦ କରି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି। ତେବେ ଏସଆଇଟି ହାଇକୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କହିଛି। ହାଇକୋର୍ଟଙ୍କ ରାୟକୁ ବିଜେପି ନେତା ତଥା ଆଇନଜୀବୀ ରାମ ଚନ୍ଦ୍ର ରାଓ ସ୍ୱାଗତ କରିଛନ୍ତି।

ଦୁଇ ମାସ ତଳେ ତେଲେଙ୍ଗାନାର ମୋଇନାବାଦରେ ଥିବା ଗୋଟିଏ ଫାର୍ମ ହାଉସରେ ପୁଲିସ ରେଡ କରିଥିଲା। ଏହାପରେ ସାଇବରାବାଦ ପୁଲିସ୍‌ କହିଥିଲା ଯେ ୪ ଜଣ ବିଧାୟକଙ୍କୁ ୧୦୦ କୋଟି ଲେଖାଏ ଟଙ୍କାରେ କିଣି କ୍ଷମତାସୀନ କେସିଆର ସରକାରକୁ ଭାଙ୍ଗିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି।

ସେତେବେଳେ ଦଳ ବଦଳ ପାଇଁ ଲୋଭନୀୟ ଆର୍ଥିକ ଅଫର ପାଇଥିବା ବିଧାୟକ ରୋହିତ ରେଡ୍ଡୀ କହିଛନ୍ତି ଯେ ତାଙ୍କୁ କେନ୍ଦ୍ରୀୟ ଏଜେନ୍ସିର ଧମକ ଦିଆଯିବା ସହ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ଯଦି ଆମେ ଦଳ ବଦଳ ନ କରିବୁ, ତା’ହେଲେ ଇଡି ଓ ସିବିଆଇ ଦ୍ୱାରା ରେଡ୍‌ କରାଯିବ ବୋଲି ଚେତାବନୀ ବିଜେପି ସହ ଲିଙ୍କରେ ଥିବା ଲୋକମାନେ ଦେଇଥିବା ସେ କହିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ବିଜେପି ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.