ଭୁବନେଶ୍ବର (ଆମ ଟିଭି): ରାଜ୍ୟ ସହ ସମଗ୍ର ଦେଶରେ ଆସୁଛି ପବିତ୍ର ଚୈତ୍ର ନବରାତ୍ରିର ପର୍ବ। ଆସନ୍ତା ୧୯ ମାର୍ଚ୍ଚରୁ ଆରମ୍ଭ ହୋଇ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ନଅ ଦିନ ଧରି ପାଳିତ ହେବ ଏହି ମହାପର୍ବ। ହିନ୍ଦୁ ପଞ୍ଜିକା ଅନୁଯାୟୀ ଚୈତ୍ର ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଘଟ ସ୍ଥାପନ ସହ ନବରାତ୍ରିର ଆରମ୍ଭ ହୁଏ।
ଏହି ପବିତ୍ର ସମୟରେ ଭକ୍ତମାନେ ମା ଦୁର୍ଗାଙ୍କ ନଅଟି ଦିବ୍ୟ ରୂପଙ୍କ ପୂଜା କରି ଉପବାସ ଓ ଭକ୍ତିରେ ଲିନ ରହନ୍ତି। ମନ୍ଦିରମାନଙ୍କରେ ବିଶେଷ ପୂଜା, ଯଜ୍ଞ ଓ ଭଜନ କୀର୍ତ୍ତନର ବ୍ୟବସ୍ଥା ହେବା ସହ ଘରେ ଘରେ ଧାର୍ମିକ ପରିବେଶ ସୃଷ୍ଟି ହେବ। ପରମ୍ପରା ଅନୁସାରେ ମାଟି ପାତ୍ରରେ ଯବ ବୁଣିବା ଓ କଳଶ ସ୍ଥାପନ କରାଯାଇଥାଏ, ଯାହା ସୁଖ, ସମୃଦ୍ଧି ଓ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମନାଯାଏ।
ଏଥିସହ ଜାଣିରଖନ୍ତୁ ନବରାତ୍ରିର ନଅ ଦିନ ମଧ୍ୟରେ, ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ପୂଜା କରାଯାଏ, ଯାହାକୁ ନବଦୁର୍ଗା କୁହାଯାଏ । ତେବେ ଆସନ୍ତୁ ଜଣିବା ଏହାର ନାମ ଗୁଡିକ କ’ଣ?
୧୯ ମାର୍ଚ୍ଚ – ମା ଶୈଳପୁତ୍ରି
୨୦ ମାର୍ଚ୍ଚ – ମା ବ୍ରହ୍ମଚାରିଣୀ
୨୧ ମାର୍ଚ୍ଚ – ମା ଚନ୍ଦ୍ରଭାଗା
୨୨ ମାର୍ଚ୍ଚ – ମା କୁଷ୍ମାଣ୍ଡା
୨୩ ମାର୍ଚ୍ଚ – ମା ସ୍କନ୍ଦମାତା
୨୪ ମାର୍ଚ୍ଚ – ମା କାତ୍ୟାୟନୀ
୨୫ ମାର୍ଚ୍ଚ – ମା କାଳରାତ୍ରି
୨୬ ମାର୍ଚ୍ଚ – ଦେବୀ ମହାଗୁରୀ (ଦୁର୍ଗା ଅଷ୍ଟମୀ)
୨୭ ମାର୍ଚ୍ଚ- ମା ସିଦ୍ଧିଦାତ୍ରୀ (ରାମ ନବମି)
*ପୂଜା ପଦ୍ଧତି:*
ସକାଳେ ସ୍ନାନ ପରେ ପୂଜାସ୍ଥଳକୁ ସଫା କରନ୍ତୁ । କାଠ ମଞ୍ଚ ଉପରେ ଏକ ଲାଲ କପଡା ବିଛାଇ ଦିଅନ୍ତୁ। ଏକ ମାଟି ପାତ୍ରରେ ଯବ ବୁଣନ୍ତୁ ଏବଂ ସେଥିରେ ପାଣି ଭର୍ତ୍ତି ପାତ୍ର ରଖନ୍ତୁ । ପାତ୍ର ଉପରେ ନଡ଼ିଆ ଏବଂ ଆମ୍ବ ପତ୍ର ରଖନ୍ତୁ । ଦେବୀଙ୍କ ପ୍ରତିମା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ରୋଲି, ଚାଉଳ ଦାନା, ଫୁଲ, ଧୂପ ଏବଂ ଦୀପ ସହିତ ପୂଜା କରନ୍ତୁ । ଦୁର୍ଗା ଚାଳିଶା ଏବଂ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ । ଅନେକ ଭକ୍ତ ସମ୍ପୂର୍ଣ୍ଣ ନଅ ଦିନ ପାଇଁ ଉପବାସ ମଧ୍ୟ କରନ୍ତି ।
ଚୈତ୍ର ନବରାତ୍ରିକୁ ବସନ୍ତ ଋତୁର ପର୍ବ ଭାବରେ ମଧ୍ୟ ବିବେଚନା କରାଯାଏ । ଏହା ପ୍ରକୃତିରେ ନୂଆ ଜୀବନ ଏବଂ ଶକ୍ତିର ଆଗମନର ପ୍ରତୀକ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନଗୁଡ଼ିକରେ ଦେବୀ ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହୁଏ ଏବଂ ସୁଖ, ସମୃଦ୍ଧି ଆଣେ ।