ମାର୍ଚ୍ଚ ୧୯ରୁ ଚୈତ୍ର ନବରାତ୍ରି: ଏଥର ନବବର୍ଷ ସହ ଦୁର୍ଲଭ ସଂଯୋଗ*

0

ଚଳିତ ବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ପାଳନ କରାଯିବ। ନବଦିନ ଧରି ଭକ୍ତମାନେ ମା’ ଦୁର୍ଗାଙ୍କ ନବ ସ୍ୱରୂପଙ୍କ ପୂଜାର୍ଚ୍ଚନା କରିବେ। ଏଥର ନବରାତ୍ରି ଓ ହିନ୍ଦୁ ନବବର୍ଷକୁ ନେଇ ପଞ୍ଚାଙ୍ଗ ଓ ଜ୍ୟୋତିଷ ଶାସ୍ତ୍ରରେ କିଛି ବିଶେଷ ଯୋଗ ଦେଖିବାକୁ ମିଳୁଛି, ଯାହା ଦୀର୍ଘ ବର୍ଷ ପରେ ଘଟୁଛି ବୋଲି କୁହାଯାଉଛି।

ସନାତନ ପରମ୍ପରା ଅନୁସାରେ ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଲ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ। ଏହି ଦିନରୁ ବିକ୍ରମ ସମ୍ବତ୍ସର ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପ୍ରତିପଦା ତିଥି କ୍ଷୟ ହେବାରୁ ନବବର୍ଷର ଆରମ୍ଭ ଦ୍ୱିତୀୟା ତିଥିରେ ହେବାକୁ ଯାଉଛି, ଯାହାକୁ ଜ୍ୟୋତିଷୀୟ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ଲଭ ଘଟଣା ବୋଲି ମନାଯାଏ।

ପଞ୍ଚାଙ୍ଗ ଅନୁସାରେ ମାର୍ଚ୍ଚ ୧୯ ସକାଳ ୬ଟା ୪୦ ମିନିଟ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହିବ। ଏହାପରେ ପ୍ରତିପଦା ତିଥି ଆରମ୍ଭ ହେବ ଓ ଏହି ଦିନରୁ ଘରେ ଓ ମନ୍ଦିରରେ କଳସ ସ୍ଥାପନା କରାଯିବ। ଏହା ସହିତ ମା’ ଦୁର୍ଗାଙ୍କ ନବରାତ୍ରି ପୂଜାର ଶୁଭାରମ୍ଭ ହେବ।

ଜ୍ୟୋତିଷ ମତାନୁସାରେ ଏଥର ବର୍ଷର ରାଜା ହେବେ ଗୁରୁ ଓ ମନ୍ତ୍ରୀ ହେବେ ମଙ୍ଗଳ। ଗୁରୁ ରାଜା ହେବାରୁ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ବଢିବ ବୋଲି ମାନ୍ୟତା ରହିଛି। ତେବେ ମଙ୍ଗଳ ମନ୍ତ୍ରୀ ହେବାରୁ କେତେକ ସ୍ଥାନରେ ତଣାତଣି ବା ଅଶାନ୍ତିର ପରିସ୍ଥିତି ଦେଖାଦେଇପାରେ ବୋଲି ଜ୍ୟୋତିଷୀମାନେ କହୁଛନ୍ତି।

ଧାର୍ମିକ ପରମ୍ପରାରେ ମା’ ଦୁର୍ଗାଙ୍କ ବାହାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ସପ୍ତାହର ଦିନ ଅନୁଯାୟୀ ମାତାଙ୍କ ଆଗମନ ବିଭିନ୍ନ ବାହାନରେ ହୋଇଥାଏ ବୋଲି ମାନ୍ୟତା ରହିଛି।

 

*ରବିବାର ଓ ସୋମବାର* – ମା’ଙ୍କ ଆଗମନ ହାତୀରେ ହୁଏ, ଯାହା ସମୃଦ୍ଧି ଓ ବର୍ଷାର ସଙ୍କେତ।

*ଶନିବାର ଓ ମଙ୍ଗଳବାର* – ମା’ ଘୋଡ଼ାରେ ଆସନ୍ତି, ଯାହା କେବେ କେବେ ସଂଘର୍ଷ ବା ଚଞ୍ଚଳତାର ସୂଚନା ଦେଉଛି।

*ଗୁରୁବାର କିମ୍ବା ଶୁକ୍ରବାର* – ମା’ ପାଲକୀରେ ଆସନ୍ତି, ଯାହା ରୋଗ ବା କିଛି ସମସ୍ୟାର ସଙ୍କେତ ଭାବେ ମନାଯାଏ।

*ବୁଧବାର* – ମା’ଙ୍କ ବାହାନ ଡଙ୍ଗା ହୁଏ, ଯାହା ଶାନ୍ତି ଓ ସମତାର ପ୍ରତୀକ।

ଏହିପରି ଧାର୍ମିକ ମାନ୍ୟତା, ଜ୍ୟୋତିଷୀୟ ଯୋଗ ଓ ନବବର୍ଷର ଆରମ୍ଭ ସହ ଚଳିତ ବର୍ଷର ଚୈତ୍ର ନବରାତ୍ରି ଭକ୍ତମାନଙ୍କ ପାଇଁ ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ରଖିଛି। ଏହି ସମୟରେ ଭକ୍ତମାନେ ଉପବାସ, ପୂଜା ଓ ଜପ-ତପ ମାଧ୍ୟମରେ ପୂଜା କଲେ ମା’ ଦୁର୍ଗାଙ୍କ କୃପା ଲାଭ ପାଇପାରିବେ।

Leave A Reply

Your email address will not be published.