କୋଇଡା (ଆମ ଟିଭି): ସୁପର ହିଟ୍ ଫିଲ୍ମ ପୁଷ୍ପାର ପ୍ରଭାବରେ ଏବେ ଖଣି ଅଞ୍ଚଳରେ ଚନ୍ଦନ ମାଫିଆ ମାନେ ସକ୍ରିୟ ହେବାକୁ ଲାଗିଛନ୍ତି। ସୁନ୍ଦରଗଡ ଜିଲ୍ଲା କୋଇଡା ଭଳି ଖଣି ଅଞ୍ଚଳରେ ଏବେ ଚନ୍ଦନ ତସ୍କର ସକ୍ରିୟ ହୋଇଥିବା ବେଳେ ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢି ଚାଲିଛି। ଗତକାଲି କୋଇଡା ଥାନା ନିକଟ ଶିବ ମନ୍ଦିର ପରିସରରେ ଥିବା ଏକ ୧୫ବର୍ଷର ଚନ୍ଦନ ଗଛକୁ ତସ୍କର ମାନେ ସଂପୂର୍ଣ୍ଣ କାଟି ନେଇଥିବା ବେଳେ ପାଖରେ ଥିବା ଆଉ ଏକ ଗଛକୁ ଅଧା କାଟି ଫେରାର ହୋଇ ଯାଇଥିବା ଜଣା ପଡିଛି।
ଠିକ୍ ଅନୁରୂପ ଭାବେ କୋଇଡାର ବିଶ୍ଵନାଥ ଭଞ୍ଜଙ୍କ ଘର ପରିସରରେ ଥିବା ଚନ୍ଦନ ଗଛକୁ ମଧ୍ୟ ଗତ ରାତିରେ ତସ୍କର ମାନେ କାଟି ନେଇଥିବା ସୂଚନା ମିଳିଛି। ଏପରି ଚନ୍ଦନ ଗଛ ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହା ପୁଷ୍ପା ଫିଲ୍ମର ପ୍ରଭାବ ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି।