ଇଂଲଣ୍ଡ ରାଜ ମୁକୁଟର କରା ଯିବ ପରିବର୍ତ୍ତନ
ଲଣ୍ଡନ୍: ଆସନ୍ତା ବର୍ଷ ମେ ୬ ତାରିଖରେ ୱେଷ୍ଟ୍ମିନ୍ଷ୍ଟର୍ ଆବେରେ ରାଜା ୩ୟ ଚାର୍ଲସ୍ଙ୍କ ଅଭିଷେକ ନିମନ୍ତେ ପଦ୍ମରାଗ ମଣି, ଫିରୋଜା ମଣି, ମରକତ ମଣି, ରକ୍ତମଣି, ପୋଖରାଜ ମଣି, ତୁର୍ମଲୀ ଖଚିତ ସୁନାରେ ନିର୍ମିତ ଏହି ନିଦା ମୁକୁଟରେ ଅଦଳବଦଳ କାମ ହେବ ବୋଲି ରାଜପ୍ରାସାଦ ତରଫରୁ କୁହାଯାଇଛି।ଉଲ୍ଲେଖଯୋଗ୍ୟ, ଟାୱାର୍ ଅଫ୍ ଲଣ୍ଡନ୍ରେ ପ୍ରଦର୍ଶୀତ ବିପୁଳ ରାଜକୀୟ ଅଳଙ୍କାର ମଧ୍ୟରେ ଶ୍ରେଷ୍ଠ ଏହି ମୁକୁଟ ବର୍ଷକୁ ୧ ନିୟୁତରୁ ଅଧିକ ଦେଖଣାହାରୀଙ୍କୁ ଆକୃଷ୍ଟ କରେ।
ଖୁବ୍ ଭାରୀ ଏବଂ ୧ ଫୁଟ୍ ଉଚ୍ଚର ଏହି ମୁକୁଟରେ ଲାଗିଛି ଜାମୁଆ-ବାଇଗଣି ରଙ୍ଗର ଟୋପି ଓ ଏର୍ମିନ୍ (ନେଉଳ ଏକ ଜାତୀୟ ପ୍ରାଣୀ) ଛାଲରେ ତିଆରି ପଟି। ଶେଷ ଥର ପାଇଁ ଏହି ମୁକୁଟକୁ ୧୯୫୩ରେ ରାଜ୍ୟାଭିଷେକ ବେଳେ ରାଣୀ ଦ୍ବିତୀୟ ଏଲିଜାବେଥ୍ ପରିଧାନ କରିଥିଲେ।ରାଜା ଏଡ୍ୱାର୍ଡ ଦି କନ୍ଫେସର୍ଙ୍କ ଅମଳରେ ନିର୍ମିତ ମଧ୍ୟ ଯୁଗୀୟ ମୁକୁଟକୁ ପରିବର୍ତ୍ତନ କରାଯାଇ ୧୬୬୧ରେ ରାଜା ଦ୍ବିତୀୟ ଚାର୍ଲସ୍ଙ୍କ ଲାଗି ଏବର ମୁକୁଟ ଗଢ଼ା ଯାଇଥିଲା।
ରାଜା ପ୍ରଥମ ଚାର୍ଲସ୍ଙ୍କ ମୃତ୍ୟୁ ପରେ ଉକ୍ତ ମୂଳ ବା ପ୍ରଥମ ରାଜମୁକୁଟଟିକୁ ସାଂସଦମାନେ ତରଳାଇ ଦେଇଥିଲେ। ଖୁବ୍ ଭାରୀ ହୋଇଥିବାରୁ ଶହ ଶହ ବର୍ଷ ହେବ ୧୭ଶ ଶତାବ୍ଦୀର ଏହି ମୁକୁଟକୁ କେବଳ ଅଭିଷେକ ଉତ୍ସବ ବେଳେ ପିନ୍ଧାଯାଉଛି।୧୯୧୧ରେ ରାଜା ୫ମ ଜର୍ଜଙ୍କ ରାଜ୍ୟାଭିଷେକ ବେଳେ ହାଲୁକା କରିବା ଲାଗି ଏହି ମୁକୁଟରେ କିଛି ପରିବର୍ତ୍ତନ କରାଯାଇଥିଲା। ତଥାପି ଏବେ ଏହାର ଓଜନ ୨.୩ କିଲୋ ରହିଛି।