ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା

0

ପୁରୀ (ଆମ ଟିଭି): ଆଜି ପବିତ୍ର ବାହୁଡା ଯାତ୍ରା । ରତ୍ନବେଦୀକୁ ଫେରିବେ କାଳିଆ ଠାକୁର । ସାଆନ୍ତଙ୍କୁ ନେଇ ଶ୍ରୀମନ୍ଦିର ଫେରିବାକୁ ଅପେକ୍ଷାରେ ନନ୍ଦିଘୋଷ । ଜନ୍ମବେଦୀର ମୋହ ତୁଟାଇ ଫେରିବେ ମଣିମା । ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା । ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ନନ୍ଦିଘୋଷ ରଥରେ ରାଜା ବେଶରେ ଛେରାପହଁରା ସେବା କରିଛନ୍ତି ଗଜପତି ମହାରାଜ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା ସେବା କରିଛନ୍ତି । ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରା ପହଁରା ସେବା ।

ଏହା ପରେ ଅପରାହ୍ନରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ୍‌ କରିଡର ହେବ । ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.