ଆଜି ଏସ୍‌ଆଇଆର୍‌ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିସନ, ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ ଲକ୍ଷ୍ୟ

0

ନୂଆଦିଲ୍ଲୀ (ଆମ ଟିଭି): ନିର୍ବାଚନ କମିସନ ଆଜି ଦେଶବ୍ୟାପୀ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିବେ । ଏହି କାର୍ଯ୍ୟକ୍ରମ ଦ୍ବାରା ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ ଓ ଅଧିକ ପ୍ରଭାବୀ କରିବାକୁ କମିସନଙ୍କ ଲକ୍ଷ୍ୟ ରହିଛି । ଏସ୍‌ଆଇଆର୍‌ ଲାଗୁ ସଂକ୍ରାନ୍ତ ତାରିଖ ଓ ପ୍ରକ୍ରିୟା ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିସନ ବିସ୍ତୃତ ତଥ୍ୟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଯେଉଁ ରାଜ୍ୟଗୁଡ଼ିକରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବ, ପ୍ରଥମ ପର୍ଯ୍ୟାୟରେ ସେହି ରାଜ୍ୟଗୁଡ଼ିକୁ ଅଗ୍ରାଧିକାର ଦିଆଯିବ । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରି ଅନ୍ତର୍ଭୁକ୍ତ । ଏହି ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଯାଞ୍ଚ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଡ଼ାଯିବ କିମ୍ବା ବାଦ୍‌ ଦିଆଯିବ । ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଜୋର୍‌ଦାର ବିରୋଧ କରିଆସୁଛନ୍ତି । ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟ ବିହାର ଏସ୍‌ଆଇଆର୍‌ ରାୟରେ ପୂର୍ବରୁ କୌଣସି ରହିତାଦେଶ ଦେଇନାହାନ୍ତି । ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିଶ୍ଚିତ କରିବା ସହ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ସ୍ୱଚ୍ଛତା ପାଇଁ ଏହା ଅତ୍ୟନ୍ତ ଜରୁରି ବୋଲି କମିସନ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଜ୍ୟ ପାଇଁ ଏସ୍‌ଆଇଆର୍‌ ଘୋଷଣା ହୋଇପାରେ ।

ମତଦାତା ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ । ମାର୍ଚ୍ଚ ପରେ SIRର ପରବର୍ତ୍ତୀ ପର୍ଯ୍ୟାୟ ଘୋଷଣା କରାଯିବ, ଏଥିରେ ପାହାଡ଼ିଆ ରାଜ୍ୟ ସହିତ ଅବଶିଷ୍ଟ ସମସ୍ତ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯିବ । ନିର୍ବାଚନ କମିସନ ନିକଟରେ ସମସ୍ତ ରାଜ୍ୟର CEOଙ୍କ ସହିତ ହୋଇଥିବା ବୈଠକରେ SIR ଶୀଘ୍ର କରିବାର ହେବାର ସଙ୍କେତ ମଧ୍ୟ ଦେଇଥିଲେ । ଅନେକ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ପୂର୍ବ SIR ପରେ ପ୍ରକାଶିତ ଭୋଟର ତାଲିକାକୁ ନିଜ ନିଜ ୱେବସାଇଟରେ ପୂର୍ବରୁ ଅପଲୋଡ୍ କରିସାରିଛନ୍ତି ।  ଯେଉଁ ରାଜ୍ୟଗୁଡ଼ିକରେ ଏବେ ନିର୍ବାଚନ ହେବାର ନାହିଁ ସେହି ରାଜ୍ୟଗୁଡ଼ିକରେ SIR ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ହେବ । ବିହାରରେ ଭୋଟର ତାଲିକାର SIR କାର୍ଯ୍ୟ ପୂର୍ବରୁ ଶେଷ ହୋଇସାରିଛି । ସେଠାରେ ପ୍ରାୟ ୭ କୋଟି ୪୨ ଲକ୍ଷ ଭୋଟରଙ୍କ ନାମ ଥିବା ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୩୦ରେ ପ୍ରକାଶିତ ହୋଇଥିଲା । ବିହାରରେ ନଭେମ୍ବର ୬ ଏବଂ ୧୧ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୧୪ରେ ଫଳାଫଳ ଆସିବ ।

ପିଟିଆଇ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୫ଟି ରାଜ୍ୟ ଅନ୍ତର୍ଭୁକ୍ତ ହେବେ, ଯେଉଁଥିରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ସାମିଲ ଅଛି । SIR ହେଉଛି ଭୋଟର ତାଲିକାକୁ ଅପଡେଟ୍ ଏବଂ ତ୍ରୁଟିଶୂନ୍ୟ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା, ଯେଉଁଥିରେ ନୂତନ ଭୋଟରଙ୍କ ପଞ୍ଜୀକରଣ, ମୃତକଙ୍କ ନାମ ହଟାଇବା, ନକଲି ଭୋଟ ପରିଚୟ ପତ୍ର  ରଦ୍ଦ କରିବା ଏବଂ ଏବଂ ଭୋଟର କାର୍ଡ ସ୍ଥାନାନ୍ତର ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.