ନିଜ ଗାଁରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ; ବଜାଇଲେ ମାର୍ଦ୍ଦଳ

0

କେନ୍ଦୁଝର (ଆମ ଟିଭି): ଦୀପାବଳି ଉତ୍ସବରେ ସାମିଲ ହେବାକୁ ମୋହନ ଚରଣ ମାଝୀ ଗୁରୁବାର ନିଜ ଗାଁ କେନ୍ଦୁଝରର ରାଇକଳାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ପଇଡ଼ ପାଣି ପିଇବା ସହ ମିଠା ମଧ୍ୟ ଖାଇଥିଲେ। ଏହା ସହ ସେ ଗାଁ ମହୋତ୍ସବରେ ସାମିଲ ମାର୍ଦ୍ଦଳ ବଜାଉଥିବାର ଭିଡିଓ ସାମ୍ନାକୁ ଆସିଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀପୂଜା ଓ ଦୀପାବଳି ଉତ୍ସବ, ଯାହାକୁ ସେ ନିଜ ଗାଁରେ ପାଳନ କରିଛନ୍ତି। ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ। ଗାଁ ଦାଣ୍ଡରେ ଝିଅ, ବୋହୂମାନେ ମୁରୁଜ ପକାଇଥିଲେ। ଏଥି ସହିତ କଳସ ସଜାଯାଇଥିଲା। ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

କାଳୀପୂଜା ଘରେ କରିବା ସହ ଗାଁରେ ଲୋକଙ୍କ ସହିତ ନିଜକୁ ସାମିଲ କରିଥିଲେ ମୁଖ୍ୟମନ୍ତ୍ରୀ। କାଳୀ ପୂଜାକୁ ସାନ୍ତାଳୀ ଭାଷାରେ ‘ସହରାଇ‘ (ପେ ମାହଁଆ ) ବୋଲି କୁହାଯାଏ। ସହରାଇ (ପେ ମାହଁଆ) ୩ଦିନ ଧରି ପାଳନ କରାଯାଏ।

ପ୍ରଥମ ଦିନକୁ ‘ଗୋଟବଙ୍କା’ ନାମରେ ପାଳନ କରାଯାଏ। ସେହିଦିନ ଅଣ୍ଡା ପୂଜା କରି ସାହିର ସବୁ ବଳଦ ଗାଈକୁ ନେଇ ଅଣ୍ଡା ଦିଆଯାଏ, ଦ୍ୱିତୀୟ ଦିନକୁ ଗୋବର୍ଦ୍ଧନ ପୂଜା। ସାନ୍ତାଳୀ ଭାଷାରେ ତାକୁ ‘ଖଳାବଙ୍କା’ବୋଲି କୁହାଯାଏ, ଏହି ଦିନ କୁକୁଡା ପୂଜା କରାଯାଏ।ତୃତୀୟ ଦିନ ‘ବୁଢ଼ୀ ବନ୍ଦନା ’ ତାକୁ ସାନ୍ତାଳୀ ଭାଷାରେ ‘ଗାଏ ଖୁଣ୍ଟଉ ’ ବୋଲି କୁହାଯାଏ। ସେହିଦିନ ଗୋରୁଙ୍କୁ ବନ୍ଦାପନା କରାଯାଇଥାଏ, ତାକୁ ସାନ୍ତାଳୀ ଭାଷା ‘ଚୁମାଣା ’ବୋଲି କୁହାଯାଏ, ଏହିପରି ୩ ଦିନ ସହରାଇ ପାଳନ କରାଯାଏ।

Leave A Reply

Your email address will not be published.