ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ମାଲକାନଗିରି ଜିଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଦେଓ ରଞ୍ଜନ ସିଂ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ମଞ୍ଚାସିନ ଥିଲେ।
ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ରାଧିକାର ଭିତ୍ତିରେ ଭାଙ୍ଗି ଯାଇଥିବା କଚ୍ଚା ଘର ନିମନ୍ତେ ସହାୟତା ଓ ବିଜୁଳି ସଂଯୋଗିକରଣ ନିମନ୍ତେ ସେ ଗୁରୁତ୍ଵାରୋପ କରିଛନ୍ତି। ଜଣେ ମଧ୍ୟ ପ୍ରଭାବିତ ବ୍ୟକ୍ତି ସରକାରୀ ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥି ନିମନ୍ତେ ପ୍ରଯତ୍ନ ହେବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜଳ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୁହାଯାଇଛି।
ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବ୍ୟାପକ ପୂର୍ବ ପ୍ରସ୍ତୁତି ଯୋଗୁଁ ଜିରୋ କାଜ୍ଵଲ୍ଟି ସମ୍ଭବ ହୋଇପାରିଛି ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି। ପ୍ରତିଦିନ ପାଣିପାଗ ବିଭାଗଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ସତର୍କ ସୂଚନା ସଂପୃକ୍ତ ଜିଲାମାନଙ୍କୁ ନିରନ୍ତର ଭାବେ ପ୍ରେରଣ କରାଯାଉଥିଲା । ଏଥିସହିତ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁ ୨୪ ଘଣ୍ଟିଆ ଭାବେ ପରିସ୍ଥିତି ଉପରେ ନଜର ରଖାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।