ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ ଉଦ୍‌ଘାଟିତ ହୋଇଯାଇଛି। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ଏଥିପାଇଁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ଯୋଗାଇ ଦିଆଯିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଛି। ଏଥିପାଇଁ ୨୯୧ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ନିର୍ଦେଶକ କୃଷି ଓ ଖାଦ୍ୟ ଉତ୍ପାଦନ ପ୍ରେମଚାନ୍ଦ ଚୌଧୁରୀ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦେଶକ ନିଖିଲ ପବନ କଲ୍ୟାଣ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.