ଭୁବନେଶ୍ୱର (ଆମ ଟିଭି): ଆଜି ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ସାତଦିନିଆ ଜାପାନ ଗସ୍ତ। ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ ଏମଡି ମଧ୍ୟ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ସ୍ୱତନ୍ତ୍ର ସଚିବ ମଧ୍ୟ ସାମିଲ ଅଛନ୍ତି। ନିବେଶକ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି। ଆଇଟି,ଶିଳ୍ପ ପର୍ୟ୍ୟଟନ ଓ କ୍ରୀଡା କ୍ଷେତ୍ର ପାଇଁ ନିବେଶକଙ୍କୁ ସାକ୍ଷାତ କରିବେ। ଏପ୍ରିଲ ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ।
ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ୟ୍ୟକ୍ରମ ରହିଛି । ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ଟି ସହରରେ ବାଣିଜ୍ୟିକ ସମ୍ମିଳନୀ, ସରକାରୀ କାର୍ୟ୍ୟକ୍ରମରେ ସେ ଯୋଗଦେବେ।
ମେକ୍ ଇନ୍ ଓଡ଼ିଶା ସମ୍ମେଳନର ଗତ ଦୁଇଟି ସଂସ୍କରଣ (୨୦୧୮ ଏବଂ ୨୦୨୨)ପାଇଁ ଜାପାନ ଏକ କଣ୍ଟ୍ରି ପାର୍ଟନର ରହିଥିଲା। ବିଦେଶୀ ପୁଞ୍ଜି ପାଇଁ ସେ କେତେକ ପ୍ରମୁଖ ନିବେଶକଙ୍କୁ ଭେଟିବା କାର୍ୟ୍ୟକ୍ରମ ଥିବା କୁହାଯାଉଛି। ଜାପାନ ସହ ଅନେକ କ୍ଷେତ୍ରରେ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିବାରୁ ନିବେଶର ଏକ ବାତାବରଣ ସୃଷ୍ଟି ହୋଇପାରେ। ଜାପାନରେ ନିବେଶକଙ୍କୁ ପେଟ୍ରୋ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନଶିଳ୍ପ ଓ ପର୍ୟ୍ୟଟନ ଭଳି କ୍ଷେତ୍ରରେ ଅଧିକ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଅଗଷ୍ଟ ମାସରେ ଇଟାଲି ଗସ୍ତରେ ଯାଇଥିଲେ। ଫେରିବା ବାଟରେ ଦୁବାଇରେ ନିବେଶକ ସମ୍ମିଳନୀରେ ସେ ଯୋଗ ଦେଇଥିଲେ।