ଭୁବନେଶ୍ୱର(ଆମ ଟିଭି): କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଦ୍ୱିତୀୟ ପର୍ୟ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ୟ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ବାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ। ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ।