ଭୁବନେଶ୍ୱର (ଆମ ଟିଭି): ଆଫଗାନିସ୍ତାନରେ ଚୀନ୍ ରାଷ୍ଟ୍ରଦୂତ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତାଲିବାନ ଶାସିତ ଆଫଗାନିସ୍ତାନ ପାଇଁ ପ୍ରଥମ ଦେଶ ହିସାବରେ ଚୀନ୍ ବିଧିବଦ୍ଧ ଭାବେ ତା’ର ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଥିବା କଥା ବୁଧବାର ଦିନ ‘ରଏଟର୍ସ’ ରିପୋର୍ଟ କରିଛି। ଏହି ଅବସରରେ ରାଜଧାନୀ କାବୁଲରେ ଆୟୋଜିତ ବିଶେଷ କାର୍ୟ୍ୟକ୍ରମରେ ନୂତନ ରାଷ୍ଟ୍ରଦୂତ ଜାଓ ସିଂଗ୍ ତାଙ୍କର ପରିଚୟ ଆଦି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଆଫଗାନିସ୍ତାନ ଉପରେ ତାଲିବାନ ନିୟନ୍ତ୍ରଣ ଜାହିର କରିବାର ଦୁଇ ବର୍ଷ ପରେ ଚୀନ୍ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛି।
ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ବର ଅଧିକାଂଶ ଦେଶ ତାଲିବାନକୁ ଆଫଗାନିସ୍ତାନର ବୈଧ୍ୟ ସରକାର ବୋଲି ମାନ୍ୟତା ଦେଇନାହାନ୍ତି। କିନ୍ତୁ, ଉଗ୍ରପନ୍ଥୀ ଶାସନକୁ ବୈଧ୍ୟତାର ମାନ୍ୟତା ଦେଇ ବେଜିଙ୍ଗ୍ ସେଠାରେ ରାଷ୍ଟ୍ରଦୂତ ଅବସ୍ଥାପିତ କରାଇଛି କି, ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ‘ରଏଟର୍ସ’ ରିପୋର୍ଟ ଅନୁସାରେ, ଚୀନ୍ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଏହା ହେଉଛି ଆଫଗାନିସ୍ତାନ ପ୍ରତି ଚୀନ୍ର ସ୍ବାଭାବିକ ରାଷ୍ଟ୍ରଦୂତ ପରିବର୍ତ୍ତନ ପ୍ରକ୍ରିୟା।