ଚାଇନାର ଚନ୍ଦ୍ର ଅଭିଯାନ
ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା ଚନ୍ଦ୍ରର ଦୂରତମ ପାର୍ଶ୍ୱକୁ ସର୍ବପ୍ରଥମେ ୨୦୧୯ ମସିହାରେ ନିଜର ପ୍ରଥମ ଅଭିଯାନ ଚେଙ୍ଗ’ଇ ୪ ପ୍ରେରଣ କରିଥିଲା। ଏଥିରୁ ଏକ ଅବତରକ ଯାନ ବା ଲ୍ୟାଣ୍ଡର ଅଲଗା ହୋଇ ସଫଳତାର ସହିତ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରିଥିଲା। ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଏକ ଯାନକୁ ସଫଳତାର ସହିତ ଅବତରଣ କରାଇବାରେ ଚାଇନା ଥିଲା ବିଶ୍ୱର ସର୍ବପ୍ରଥମ ରାଷ୍ଟ୍ର। ଏହି ଯାନରୁ ବାହାରି ଏକ ରୋବୋଟ (ନାମ : ୟୁତି-୨) ଚନ୍ଦ୍ରପୃଷ୍ଠରେ ବିଚରଣ ପୂର୍ବକ ଅନୁଧ୍ୟାନ କରିଥିଲା। ସେବେଠାରୁ ଏହି ରୋବୋଟ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟରତ ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ରୋବୋଟ ରୂପେ ସକ୍ରିୟ ଅଛି।“
ଆମର ପଡ଼ୋଶୀ ଦେଶ ଚାଇନା ଗତ ମେ ୩ ତାରିଖରେ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ ପ୍ରେରଣ କରିଛି। ଏହା ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ ପୂର୍ବକ ଚନ୍ଦ୍ରପୃଷ୍ଠରୁ କିଛି ମାଟି ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାର ଆଶା ରଖିଛି। ଏହି ଅଭିଯାନର ନାମ ଚେଙ୍ଗ’ଇ ୬। ଏହି ଅଭିଯାନକୁ ହୈନାନ ଦ୍ବୀପର ୱେଞ୍ଚାଙ୍ଗ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଲାଙ୍ଗ ମାର୍ଚ୍ଚ ୫ ରକେଟ’ ଜରିଆରେ ଉତକ୍ଷେପଣ କରାଯାଇଛି। ଏହି ଅଭିଯାନ ସଫଳ ହେଲେ ଆମେରିକା, ରୁଷିଆ ଓ ଭାରତକୁ ପଛରେ ପକାଇ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରି ପୃଥିବୀକୁ ନମୁନା ଫେରାଇ ଆଣିବାରେ ଚାଇନା ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ପରିଗଣିତ ହେବ। ଚାଇନା ଆଗାମୀ ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇ ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏକ ସ୍ଥାୟୀ ଘାଟି ନିର୍ମାଣ କରିବାର ଯୋଜନା ରଖିଛି। ଚାଇନାର ଏହି ଚଳିତ ଅଭିଯାନ ସେହି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟର ଏକ ଅଂଶବିଶେଷ ବୋଲି ଜଣାପଡ଼ିଛି।
ଏପର୍ଯ୍ୟନ୍ତ ଦୁନିଆର ସମସ୍ତ ୧୦ଟି ଚନ୍ଦ୍ର ଅଭିଯାନ ଚନ୍ଦ୍ରର ନିକଟତମ ପାର୍ଶ୍ୱକୁ ଲକ୍ଷ୍ୟ କରି କରାଯାଇଛି; ଅର୍ଥାତ ଚନ୍ଦ୍ରର ଦୂରତମ ପାର୍ଶ୍ୱ ଅଭିମୁଖେ କୌଣସି ସଫଳ ଅଭିଯାନ ପ୍ରେରଣ କରାଯାଇ ପାରିନାହିଁ। ଚନ୍ଦ୍ରର ଏହି ରହସ୍ୟମୟ ପାଶ୍ୱର୍ର୍ ସର୍ବଦା ପୃଥିବୀଠାରୁ ଦୂରରେ ରହିଥାଏ। ଏହାକୁ ମଧ୍ୟ ଚନ୍ଦ୍ରର ‘ଅନ୍ଧକାରାଚ୍ଛନ୍ନ’ ପାଶ୍ୱର୍ର୍ କହନ୍ତି। ଏହାର ଅର୍ଥ ନୁହେଁ ଯେ, ଏହି ପାର୍ଶ୍ୱ ସଦାସର୍ବଦା ଅନ୍ଧକାରମୟ ରହିଥାଏ; ବରଂ ଏହି ପାର୍ଶ୍ୱ ସର୍ବଦା ଆମଠାରୁ ଦୂରରେ ରହିଥିବା ହେତୁ ସେ ସମ୍ପର୍କରେ ଆମର ସୀମିତ ଜ୍ଞାନ ଦୃଷ୍ଟିରୁ ଏହାର ଏପରି ନାମକରଣ କରାଯାଇଛି।