ଚ୍ୟାଲେଞ୍ଜ ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ଭଉଣୀ ଭୂମିକାରେ ଚୁଲବୁଲି ନାୟିକା ଲିପି, ରାକ୍ଷୀ ପୂର୍ଣ୍ଣିମାରେ ହେଲା ପୋଷ୍ଟରର ପବ୍ଲିସିଟି
ଭୁବନେଶ୍ୱର (ଆମ ଟିଭି): ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ ରେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଭଉଣୀ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଲିପି ମହାପାତ୍ର l ଅଭିନେତ୍ରୀ ଲିପି ଆଲବମ୍ କୁଇନ୍ ଭାବେ ବେଶ ପରିଚୟ ସୃଷ୍ଟି କରିଥିଲେ ଏବଂ ଆଜି ବି ତାଙ୍କର ଅଭିନୟର ଯାଦୁ ଜାରି ରହିଛି l ତେବେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀଙ୍କର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ପବ୍ଲିସିଟି ହୋଇଛି l ଶ୍ରୋତା ପୁଣି ଥରେ ଭାଇ ଭଉଣୀଙ୍କୁ ନେଇ ଏକ ନୂଆ ରାକ୍ଷୀ ଗୀତ ଶୁଣିବାକୁ ପାଇବେ ଏବଂ ତାହା ନିଶ୍ଚିତ ଭାବେ ଶ୍ରୋତାଙ୍କ ହୃଦୟରେ ଛାପ ହୋଇ ରହିବ l

ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ନାଁ l ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ପାଦ ରଖି ଓଡ଼ିଆ ଚଳଚ୍ଚିତ୍ର ଜଗତର ଗାରିମାକୁ ସେ ବଢାଇଛନ୍ତି l ପୂର୍ବରୁ ବ୍ଲାକମେଲ, ଅ ଆ ହର୍ଷଇ ସହିତ ଭିଲେନ୍ ଭଳି ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଛନ୍ତି l କିଛି ଦିନ ପୂର୍ବେ ଚଳଚ୍ଚିତ୍ର ଚ୍ୟାଲେଞ୍ଜର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଛି l ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ମଧ୍ୟ ଭରି ରହିଛି l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ଏହା ହେଉଛି ୬ଷ୍ଠ ଅବଦାନ l ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରଥାନ୍ତି ଅର୍ଦ୍ଧେନ୍ଦୁ l ଚ୍ୟାଲେଞ୍ଜରେ ମଧ୍ୟ କିଛି ନୂଆ କରିବା ପାଇଁ ମହାଭାରତର ସେଇ ନାମୀ ଦାମୀ ଚରିତ୍ରରେ ଅଭିନୟ କରିଥିବା ପୁନିତ ଇସାର ଓରଫ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ l ଅଭିନେତ୍ରୀ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କୁ ଦର୍ଶକେ ଚ୍ୟାଲଞ୍ଜ ରେ ଦେଖିବାକୁ ପାଇବେ l ନୂଆ କଥା ମ୍ୟୁଜିକ୍ ଭିଡିଓ ଜାଇଫୁଲ ର ସଫଳ ଯୋଡ଼ି ଲିପି ଓ ପୁପିନ୍ଦର ସିଂହ ଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ l ଯୁବ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ ଏହି ଚ୍ୟାଲେଞ୍ଜ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଭାର ନେଇଥିବା ବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ l ଚିତ୍ରତ୍ତୋଳନ କରିଛନ୍ତି ପ୍ରତାପ ରାଉତ, ପ୍ରଚାର ପ୍ରସାର ଓ କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ନାୟକ। ଚଳଚ୍ଚିତ୍ରଟି ଆସନ୍ତା ଦଶହରାରେ ସାରା ଓଡ଼ିଶାରେ ପ୍ରକାଶ ଫିଲ୍ମସ ଡିଷ୍ଟ୍ରିଵ୍ୟୁସନ ବ୍ୟାନରରେ ମୁକ୍ତିଲାଭ କରିବ।