କଂଗ୍ରେସର ଘୋଷଣା ସରକାର ଗଢିଲେ ଏହି ସବୁକୁ କରିବ ବ୍ୟାନ

0

ନୂଆଦିଲ୍ଲୀ: ମେ‘ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ ଦଳ ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ସହ ବିଶ୍ୱ ହିନ୍ଦୁ ପରିଷଦର ଯୁବ ବାହିନୀ ବଜରଙ୍ଗ ଦଳକୁ ସମାନ କରିଛି। ସଂଖ୍ୟାଲଘୁ କିମ୍ବା ସଂଖ୍ୟା ବହୁଳ ସଂପ୍ରଦାୟ ମଧ୍ୟରେ ଘୃଣା କିମ୍ବା ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଏଭଳି ସଂଗଠନକୁ କଂଗ୍ରେସ କ୍ଷମତାକୁ ଆସିଲେ ବ୍ୟାନ କରିବ ବୋଲି କହିଛି।ଇସ୍ତାହାରରେ କଂଗ୍ରେସ ଗୃହ ଜ୍ୟୋତି, ଗୃହ ଲକ୍ଷ୍ମୀ, ଅନ୍ନ ଭାଗ୍ୟ, ଯୁବ ନିଧି ଓ ଶକ୍ତି ଭଳି ୫ ଗ୍ୟାରେଣ୍ଟି ଦେଇଛି। ଏହି ସବୁ ଯୋଜନା ଲାଗୁ କରି କଂଗ୍ରେସ ସମାଜର ସବୁ ବର୍ଗର କଲ୍ୟାଣ କରିବ ବୋଲି କହିଛି।

ଦଳ କହିଛି ଯେ “କଂଗ୍ରେସ ପାର୍ଟି ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ଘୃଣା କିମ୍ବା ବିଦ୍ୱେଷ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମ୍ବିଧାନରେ ପ୍ରଦତ୍ତ ଆଇନରେ ଆମେ ବିଶ୍ୱାସ କରୁ। କୌଣସି ବ୍ୟକ୍ତିବିଶେଷ କିମ୍ବା ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଆଇନକୁ ଭାଙ୍ଗି ଘୃଣା ସୃଷ୍ଟି କରିପାରିବେ ନାହିଁ। ସେଭଳି ସଂଗଠନକୁ କଂଗ୍ରେସ କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ୍ୟାନ ମଧ୍ୟ କରିବ।”ସମସ୍ତ ସଂପ୍ରଦାୟ ପାଇଁ ଶାନ୍ତି ପୂର୍ଣ୍ଣ ବଗିଚା ନାଁରେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ବିଜେପି ସରକାର ଲାଗୁ କରିଥିବା ସମସ୍ତ ପ୍ରକାରର ଜନ ବିରୋଧୀ ଆଇନକୁ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ, ବର୍ଷକ ମଧ୍ୟରେ ଉଚ୍ଛେଦ କରି ବୋଲି କଂଗ୍ରେସ କହିଛି।

କଂଗ୍ରେସ କ୍ଷମତାକୁ ଆସିଲେ ଗୃହ ଜ୍ୟୋତି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରର ସଦସ୍ୟଙ୍କୁ ୧୦ କେଜି ଲେଖାଏ ଚାଉଳ କିମ୍ବା ରାଗି, ଜୋୱର କିମ୍ବା ମିଲେଟ ଦେବ, ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଏବଂ ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ।

Leave A Reply

Your email address will not be published.