ପୁଣି ଆପ୍କୁ ନିମନ୍ତ୍ରଣ କଲା କଂଗ୍ରେସ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖ ଦିନ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦ୍ବିତୀୟ ସମାବେଶରେ ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀ ଅଂଶ ଗ୍ରହଣ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଏହି ସମାବେଶକୁ ‘ଆମ୍ ଆଦ୍ମି ପାର୍ଟି’ ସମେତ ୨୪ଟି ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି।
ସମାବେଶର ଦିନକ ପୂର୍ବରୁ ସୋନିଆ ଗାନ୍ଧୀ ବିରୋଧୀ ଦଳର ନେତାମାନଙ୍କୁ ଏକ ଡିନର୍କୁ ଆମନ୍ତ୍ରଣ କରିବାର ସମ୍ଭାବନା ଅଛି। ୨୦୨୪ ଜାତୀୟ ନିର୍ବାଚନରେ ‘ବିଜେପି’ ବିରୋଧରେ ମିଳିତ ପ୍ରତିଦ୍ବନ୍ଦ୍ବିତା ଲାଗି ଚାଲିଥିବା ପ୍ରଚେଷ୍ଟାରେ ଏହା ହେଉଛି କଂଗ୍ରେସର ଭୂମିକା।
ଉଲ୍ଲେଖଯୋଗ୍ୟ, ପ୍ରାୟ ୧୫ଟି ରାଜନୈତିକ ଦଳଙ୍କ ସମାହାରରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଚେଷ୍ଟାରେ ବିହାରରେ ପ୍ରଥମ ବିରୋଧୀ ଦଳ ସମାବେଶ ଆୟୋଜିତ ହୋଇଥିଲା।
କିନ୍ତୁ, ସୋମବାର ଦିନ ହେବାକୁ ଥିବା ଦ୍ବିତୀୟ ସମାବେଶରେ ୮ଟି ନୂଆ ଦଳ ସାମିଲ ହେବାର ସମ୍ଭାବନା ଅଛି। ଏହି ଦଳଗୁଡ଼ିକ ମଧ୍ୟରେ ଅଛନ୍ତି, ‘ଏମ୍ଡିଏମ୍କେ’, ‘କେଡିଏମ୍କେ’, ‘ଭିସିକେ’, ‘ଆର୍ଏସ୍ପି’, ‘ଏଆଇଏଫ୍ବି’, ‘ଆଇୟୁଏମ୍ଏଲ୍’ ‘କେରଳ କଂଗ୍ରେସ (ଜୋସେଫ)’ ଏବଂ ‘କେରଳ କଂଗ୍ରେସ (ମଣି)’।
କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳର ନେତାମାନଙ୍କୁ ଦ୍ବିତୀୟ ସମାବେଶ ପାଇଁ ନିମନ୍ତ୍ରଣ ପଠାଇଛନ୍ତି। ଏଥିରେ ସେ ପାଟନାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସମାବେଶ ପ୍ରସଙ୍ଗ ବି ଲେଖିଛନ୍ତି। ସେ ଲେଖିଛନ୍ତି, ଆମର ଗଣତନ୍ତ୍ର ପ୍ରତି ବିପଦର କାରଣ ସମ୍ବନ୍ଧୀୟ ବହୁ ପ୍ରସଙ୍ଗ ଆଲୋଚନା ହେବା ସହିତ ପରବର୍ତ୍ତୀ ସାଧାରଣ ନିର୍ବାଚନ ଏକତ୍ର ହୋଇ ଲଢ଼ିବାକୁ ସମସ୍ତେ ରାଜି ହୋଇଥିବାରୁ ଉକ୍ତ ବୈଠକ ଅତ୍ୟନ୍ତ ସଫଳ ହୋଇଥିଲା।