ନବଙ୍କ ହତ୍ୟା ପାଇଁ କାହାକୁ ସହେହ କରୁଛି କଂଗ୍ରେସ

0

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଦାବି କରିବା ପରେ ଆଜି କଂଗ୍ରେସ ସିଧାସଳଖ ପଶ୍ଚିମଓଡ଼ିଶାରେ ବିଜେଡି ଜଣେ ବାହୁବଳୀ ନେତାଙ୍କୁ ଇଙ୍ଗିତ କରିଛି । ନବଙ୍କ ସହ ସମ୍ପୃକ୍ତ ବାହୁବଳୀ ନେତାଙ୍କ ରାଜନୀତିକ ଶତ୍ରୁତା ଥିଲା ଓ ସେ ତାଙ୍କୁ ହତ୍ୟା କରିନାହାନ୍ତି ତ ବୋଲି କଂଗ୍ରେସ ଆଶଙ୍କା କରିଛି । ଏହାସହିତ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମଧ୍ୟ ଦାବି କରିଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସଙ୍କ ହତ୍ୟା ମାମଲାରେ ୩ଟି କାରଣ ହୋଇଥାଇପାରେ । ପ୍ରଥମତଃ ଗୋପାଳର ବ୍ୟକ୍ତିଗତ ଶତ୍ରୁତା, ଦ୍ୱିତୀୟତଃ ରାଜନୀତିକ ଶତ୍ରୁତା ଓ ଶେଷରେ ବ୍ୟବସାୟିକ ଶତ୍ରୁତା । ପାରିପାର୍ଶ୍ୱିକ ପ୍ରମାଣରୁ ଜଣାପଡ଼ୁଛି ଯେ, ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାବେଳେ ବିଜେଡି ନେତୃତ୍ୱ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଥିଲା । ବ୍ରଜରାଜନଗର ନିର୍ବାଚନବେଳେ ଏହା ପ୍ରମାଣିତ ହୋଇଥିଲା । ନବଙ୍କ ସହ ତାଙ୍କ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କର ରାଜନୀତିକ ଶତ୍ରୁତା ଥିଲା । ବରଗଡ଼ ଜିଲ୍ଲାର ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀ ଜଣେ ଗୁଣ୍ଡା ପ୍ରକୃତିର ଲୋକ । ସିଏ ଏହି ହତ୍ୟା କରିଥାଇପାରନ୍ତି ବୋଲି ଶ୍ରୀ ମିଶ୍ର ସନ୍ଦେହ କରିବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ।

ସେହିପରି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ମଧ୍ୟ ନବ ଦାସ ହତ୍ୟା ପଛରେ ପଶ୍ଚିମଓଡ଼ିଶାର ଜଣେ ବାହୁବଳୀ ନେତାଙ୍କ ସମ୍ପୃକ୍ତି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ତାଙ୍କର ନବଙ୍କ ସହ ପଡ଼ୁନଥିଲା । ତେଣୁ ନବଙ୍କୁ ପଶ୍ଚିମଓଡ଼ିଶାର ସେହି ବିଜେଡି ନେତା ମାରିବା ଭଳି ଲାଗୁଛି । ତେବେ କିଏ ସେହି ବାହୁବଳୀ ନେତା, ତାଙ୍କ ନାଁ କହିବାକୁ ତାରା ମନା କରିଦେଇଥିଲେ । ନିରପେକ୍ଷ ତଦନ୍ତ କଲେ, ସତ ପଦାକୁ ଆସିଯିବ ବୋଲି କହିଛନ୍ତି । ନବ ଦାସ ହତ୍ୟା ମାମଲାର ତଦନ୍ତ ହାଇକୋର୍ଟଙ୍କ ନ୍ୟାୟିକ ତତ୍ତ୍ୱାବଧାନରେ ଏସଆଇଟି ଦ୍ୱାରା କରାଯିବାକୁ କଂଗ୍ରେସ ଦାବି କରିଛି । କ୍ରାଇମବ୍ରାଂଚ ତଦନ୍ତକୁ କଂଗ୍ରେସ ସିଧାସଳଖ ଖାରଜ କରିବା ସହ ଏହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛି ।

Leave A Reply

Your email address will not be published.