ପୁଣି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

0

ଭୁବନେଶ୍ୱର :ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ ସ୍ୱୟଂସହାୟକ ଗୋଷ୍ଠୀ ମହିଳା(ଏସ୍‌ଏଚ୍‌ଜି)ଙ୍କ ରାଜନୀତିରେ ପ୍ରବେଶ ମନ୍ତବ୍ୟ ଉପରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଡ଼ା ଟିପଣୀ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ମହିଳାମାନେ ରାଜନୀତିକୁ ଆସିବାରେ ଆମର କୌଣସି ଦ୍ଵିମତ ନାହିଁ। ଆମେ ସ୍ୱାଗତ କରିବୁ। କିନ୍ତୁ ସରକାର ସେମାନଙ୍କୁ ପ୍ରଲୋଭିତ କରି ଭୋଟ ରାଜନୀତି ନିମନ୍ତେ ବ୍ୟବହାର କରିବା ଉଚିତ ନୁହେଁ। ସରକାରୀ ଅର୍ଥକୁ ବ୍ୟବହାର କରି ଏହି ରାଜନୀତି କରାଯାଉଛି। ଯାହାକୁ ଆମେ ନିଶ୍ଚିତ ବିରୋଧ କରିବୁ।

ସରକାରୀ ଅର୍ଥରେ ସେମାନେ ରାଜନୀତି କରିପାରିବେ ନାହିଁ। ନିର୍ବାଚନ ପୂର୍ବରୁ ସେମାନେ ସରକାରଙ୍କ ତହବିଲରୁ ଟଙ୍କା ଦେବେ ଏବଂ କହିବେ ଯେ ଆମେ ସେମାନଙ୍କୁ ସଶକ୍ତ କରୁଛୁ, ତାହାର ଅର୍ଥ ହେଲା ଆପଣ ସରକାରୀ ଅର୍ଥ ସିଧା ସଳଖ ରାଜନୀତିରେ ବ୍ୟବହାର କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିଜୁ ମନ୍ତ୍ରବ୍ୟକୁ ନେଇ ବିଜୟ ପଟ୍ଟନାୟକ ରାଜ୍ୟ ସରକାରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଦେଲେ, ସେଥିରେ ସେ ସ୍ପଷ୍ଟ ଭାବେ ସ୍ୱୀକାର କଲେ ଯେ ଯେଉଁମାନେ ବିଜୁ ବାବୁଙ୍କ ଦାୟଦ, ସେମାନେ ସେଥିପାଇଁ ଯୋଗ୍ୟ ନୁହନ୍ତି। କେବଳ ତାଙ୍କ ନାଁ’ରେ କ୍ଷମତା ଉପଭୋଗ କରୁଛନ୍ତି। ବିଜୁ ବାବୁଙ୍କ କାମ କରିବା ତରିକା ଓ ନବୀନ ବାବୁଙ୍କ କାମ କରିବା ତରିକା ସମ୍ପୂର୍ଣ୍ଣ ଅଲଗା। ବିଜୁ ବାବୁଙ୍କ ସ୍କିମକୁ ବଦଳାଇ ନବୀନ ଓଡ଼ିଶା ଆରମ୍ଭ ହୋଇଛି। ଲୋକେ ଏହାକୁ କେତେ ଗ୍ରହଣ କରୁଛନ୍ତି ଭବିଷ୍ୟତରେ ଜଣାପଡ଼ିବ।

ସୂଚନା ଥାଉକି, ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗତକାଲି ପାରାଦୀପରେ ଆୟୋଜିତ ଏକ ବିଜୁ ଜନ୍ମୋତ୍ସବରେ ଯୋଗଦେଇ କହିଥିଲେ, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି।

ସେହିପରି ଆଜି ପ୍ରେସ୍‌ ମିଟ୍‌ରେ ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ କହିଥିଲେ, ମହିଳା ସଶକ୍ତି କରଣ ଓ ରାଜନୀତି ସମ୍ପୂର୍ଣ୍ଣ ଭିନ୍ନ କଥା। ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସିଟ୍ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ବେଳେ ୭୦ ପ୍ରତିଶତ ମହିଳା ନିର୍ବାଚନ ଲଢ଼ିବାକୁ ଓହ୍ଲାଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରାୟ ୨୧ ଜଣ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଛନ୍ତି। ମିଶନ ଶକ୍ତି ଏକ ପ୍ଲାଟଫର୍ମ ଦେଉଛି ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ଓ ନେତୃତ୍ୱ ନେବା ପାଇଁ। ତେଣୁ ଏହି ମହିଳାମାନେ ଯଦି ରାଜନୀତିକୁ ଆସୁଛନ୍ତି, ତାହେଲେ ଭଲ କଥା। ଏହା ତାଙ୍କ ଅଧିକାର।

Leave A Reply

Your email address will not be published.