ଦଳୀୟ ଶୃଙ୍ଖଳରୁ ବାହାରି ଦ୍ରୌପଦୀଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

0

କଟକ(ଆମ ଟିଭି): ଦଳୀୟ ଶୃଙ୍ଖଳରୁ ବାହାରି ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି ମୋ ପାଇଁ ପାର୍ଟି ନୁହଁ ମାଟି ବଡ଼। ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀ ପରିବର୍ତ୍ତେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍‌ ଦେବା ପରେ ଏଭଳି ମତ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଏହା ସମ୍ବିଧାନର ସର୍ବୋଚ୍ଚ ପଦ । ଏହା ଉପରେ ଦଳର କିଛି ହୁଇପ ନ ଥାଏ। ସାଂସଦ କିମ୍ବା ବିଧାୟକ ନିଜ ମନୋନୀତ ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି। ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି। ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ଓଡ଼ିଆଙ୍କର ଇଚ୍ଛା ରହିଛି । ତେଣୁ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି। ଏଥିନିମନ୍ତେ ମୋତେ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ। ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଭୁଲ୍‌ ବୁଝିବ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଏଥିସହ ଯାହା କରିଛନ୍ତି ତାହା ଠିକ୍‌ ଓ ଏଥିନିମନ୍ତେ ତାଙ୍କର କୌଣସି ପଶ୍ଚାତାପ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ମୋକିମଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷପରେ ପିସିସି ସଭାପତି ଓ ଅନ୍ୟ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦଳ ଯାହା ବିଚାର କରିବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ। ସେହିପରି ଦଳୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ସେ ପାର୍ଟି ନିଷ୍ପତ୍ତି ପ୍ରକାରେ ଭୋଟ୍‌ ଦେବା କଥା। କିନ୍ତୁ ଯାହା ଘଟିଲା, ତାହା ଦୁର୍ଭାଗ୍ୟଜନକ ଘଟଣା। ହାଇକମାଣ୍ଡଙ୍କୁ ଏ ବିଷୟରେ ଅବଗତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା। ମୋକିମ ଅସନ୍ତୁଷ୍ଟ ଥିବା ଏହା ପ୍ରମାଣ କଲା। ତା’ ସହିତ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ବିଷୟରେ ହାଇକମାଣ୍ଡଙ୍କୁ ଅବଗତ କରାଯିବ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ତାହାକୁ କାର୍ଯ୍ୟକାରୀ କରିବୁ।

ସୂଚନାଯୋଗ୍ୟ, ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା। ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ ହୋଇଥିବା ବିଜେଡି ତାଙ୍କୁ ସମର୍ଥନ କରିଛି। ସେହିଭଳି ଏନ୍‌ଡିଏରେ ସାମିଲ ନଥିବା ଆଉ କିଛି ଆଞ୍ଚଳିକ ଦଳ ବି ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.