ଭୁବନେଶ୍ୱର (ଆମ ଟିଭି): ବିଜେଡିର ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଦା ହେବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହାରି ଭିତରେ ଆଜି ପୁଣି ଥରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରି ଶାସକ ଦଳକୁ ସମାଲୋଚନା କରିଛନ୍ତି ନରସିଂହ ମିଶ୍ର । ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ବାରମ୍ବାର ଗଣମାଧ୍ୟମକୁ ଆସି ସୌମ୍ୟରଞ୍ଜନ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ କରିଥିଲେ । ଏହାକୁ ସମାଲୋଚନା କରି ରାଜାଙ୍କ କୋଳି ଉପାଖ୍ୟାନ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କହିଛନ୍ତି ଥରେ ରାଜା, ଶୌଚ ହେବା ସମୟରେ ଏକ କୋଳି ଖାଇଦେଇଥିଲେ । ସେହି ରାଜ୍ୟରେ ଜଣେ ବାଦକ ତାଙ୍କର କାର୍ୟ୍ୟକ୍ରମ ପରିବେଷଣ ବେଳେ ‘କହିଦେବିରେ ରାଜା’ ବୋଲି ବାରମ୍ବାର ଉଚ୍ଚାରଣ କରୁଥିଲେ ।
ଏକଥା ଶୁଣି ରାଜାଙ୍କ ରହସ୍ୟ ବାଦକ ଜଣଙ୍କ ଜାଣିପାରିଥିବା ସେ ଅନୁମାନ କଲେ । ଆଉ ସେଥିପାଇଁ ସେ ଶୌଚ ହେବା ସମୟରେ କୋଳି ଖାଇଥିବା କଥା ପ୍ରକାଶ କରିଦେବେ ବୋଲି ଚିନ୍ତା କରୁଥିଲେ । ଏକାହାଣୀର ମର୍ମ ହେଉଛି କାହାରି ଦୋଷ ଦୁର୍ବଳତା ଥିଲେ ଏବଂ ସେ ସମ୍ପର୍କରେ କେହି କହିଲେ ତାକୁ ବ୍ଲାକମେଲ ବୋଲି ବିଚାର କରାଯାଏ ।