ନବଙ୍କ ହତ୍ୟାକୁ ନେଇ ବିଧାନସଭାରେ ଏମିତି କହିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

0

ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ଆଜି ବିଧାନସଭାରେ ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଥିବା ବେଳେ ବିଧାୟକ ଶ୍ରୀ ସାଲୁଜା ଏହି ଦାବି କରିଥିଲେ।

ସେ କହିଥିଲେ ଯେ ନବ ଦାସ ହତ୍ୟାକାଣ୍ଡକୁ ୩୦ ଦିନ ପୂରିବାକୁ ଯାଉଥିବା ବେଳେ କ୍ରାଇମବ୍ରାଞ୍ଚ କିଛି ସୁରାକ ପାଉନି। କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା ଜଣାପଡ଼ୁନି। ଏହା ପଛରେ ରାଜନୀତିକ ନା ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି, ତାହା ଜଣାପଡ଼ୁନି। ଆଉ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ। ଖାକିର ତଦନ୍ତ ଖାକି କିପରି କରିବ ବୋଲି ପ୍ରଶ୍ନ କରି ସେ ଘଟଣାର ତଦନ୍ତ ଏସ୍‌ଆଇଟି ଦ୍ୱାରା କରାଯାଉ ବୋଲି କହିଥିଲେ।

ଶ୍ରୀ ସାଲୁଜା ଆହୁରି କହିଥିଲେ ଯେ ନବଙ୍କ ସାମ୍ରାଜ୍ୟ ଦଖଲ ପାଇଁ ବର୍ତ୍ତମାନ ସେଠି (ଝାରସୁଗୁଡ଼ାରେ) ଗଣ୍ଡଗୋଳ ଚାଲିଛି। ବିଧାୟକ ସୁଶାନ୍ତ ସିଂ ଓ ନବ ଦାସ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଛି। ତେଣୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ କରୁଛି, ତାକୁ ଲୋକେ ବିଶ୍ୱାସ କରୁ ନାହାନ୍ତି। ଗୋପାଳ ପାଗଳ କି ନୁହେଁ, କେବଳ ତାର ତଦନ୍ତ ହେଉଛି। କିନ୍ତୁ ଗୋପାଳ କାହିଁକି ମାରିଲା, ତାର ତଦନ୍ତ କରାଯାଉନି । ଏନେଇ ନିୟମିତ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିବା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ତାରା।

Leave A Reply

Your email address will not be published.