ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ଲାଗି ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା । କିଏ ହେବ କଂଗ୍ରେସର ପରବର୍ତ୍ତୀ ଜାତୀୟ ସଭାପତି, ତାକୁ ନେଇ ବହୁ ହେବିୱେଟଙ୍କ ମଧ୍ୟରେ ଲଢେଇ ଚାଲିଛି । ଏହାରି ଭିତରେ ରାଜସ୍ଥାନରେ ଜାରି ରାଜନୈତିକ ସଂକଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ସୋନିଆଙ୍କ ସହ ତାଙ୍କର ଏହି ସାକ୍ଷାତ ଆଲୋଚନା ପାଖାପାଖି ଦେଢଘଣ୍ଟା ପର୍ୟ୍ୟନ୍ତ ଚାଲିଥିଲା। ବୈଠକ ପରେ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ ରାଜସ୍ଥାନରେ ଯାହାବି କିଛି ହେଲା ସେଥି ଲାଗି ସେ ଦୁଃଖିତ ବୋଲି କହିଛନ୍ତି। ଏଥି ଲାଗି ସୋନିଆ ଗାନ୍ଧିଙ୍କୁ ସେ କ୍ଷମା ମଧ୍ୟ ମାଗିଥିବା ସେ କହିଛନ୍ତି।
ସୋନିଆଙ୍କୁ ଭେଟିବା ପରେ ଅଶୋକ ଗେହଲଟ କହିଛନ୍ତି ଯେ ଇନ୍ଦିରା ଗାନ୍ଧିଙ୍କ ସମୟରୁ ଗତ ୫୦ ବର୍ଷ ହେଲା ମୁଁ କଂଗ୍ରେସର ଜଣେ ବିଶ୍ୱସ୍ଥ ସିପାହୀ ରୂପେ କାମ କରିଆସୁଛି। ମୋ ଉପରେ ଭରସା କରି ଦଳ ଯେବେବି ଯେଉଁ ଦାୟିତ୍ୱ ଦେଇଛି ତାହାକୁ ବିଶ୍ୱସ୍ଥତାର ସହ ନିର୍ବାହ କରିଛି। ସେ କହିଛନ୍ତି ଯେ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢିବା ପାଇଁ ମନା କରିଦେବା ଓ ତାପରେ ତାଙ୍କୁ ଭେଟିବା କାଳରେ ନିର୍ବାଚନ ଲଢିବାକୁ ମନସ୍ତ କରିଥିଲି ବୋଲି କହିଛନ୍ତି। ତେବେ ରାଜସ୍ଥାନରେ ଯେଉଁ ଘଟଣା ଘଟିଲା ତାହା ମୋତେ ଦୋହଲାଇ ଦେଇଥିବା କହିଛନ୍ତି। ରାଜସ୍ଥାନର ଘଟଣା ପୁରା ଦେଶକୁ ମୁଁ ମୁଖ୍ୟମନ୍ତ୍ରୀ ପଦବୀକୁ ଜାବୁଡି ବସିଥିବାର ବାର୍ତ୍ତା ଦେଇଛି। ଏଣୁ ସୋନିଆଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଅଶୋକ ଗେହଲଟ କହିଛନ୍ତି।