ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମହାରାଷ୍ଟ୍ରର ନାନ୍ଦେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି । ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ କଂଗ୍ରେସ ସମ୍ବିଧାନକୁ ରକ୍ଷା କରିଛି । ଯଦି କଂଗ୍ରେସ ସମ୍ବିଧାନର ସୁରକ୍ଷା ନକରିଥାନ୍ତା, ତେବେ ମୋଦୀ କଦାପି ପ୍ରଧାନମନ୍ତ୍ରୀ ହୋଇ ପାରି ନଥାନ୍ତେ । ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ବେକାରୀ ସମସ୍ୟା ଉଠାଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ଖାର୍ଗେ କହିଛନ୍ତି ଯେ ପ୍ରତି ବର୍ଷ ୨ କୋଟି ଚାକିରି ଦେବାକୁ ପ୍ରତିଜ୍ଞା କରାଯାଇଥିଲା, ହେଲେ ତାହା କ’ଣ ହେଲା ?
ସୂଚନା ମୁତାବକ ମହାରାଷ୍ଟ୍ରର ନାନ୍ଦେଡରେ ଖାର୍ଗେ ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରା’ ସମୟରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଜେପିର ନେତା ସବୁବେଳେ ପ୍ରଶ୍ନ କରୁଛନ୍ତି କି କଂଗ୍ରେସ ଦେଶ ପାଇଁ କ’ଣ କରିଛି ? କଂଗ୍ରେସ ସରକାରଙ୍କ ଦ୍ୱାରା ସ୍ଥାପିତ ପିଏସୟୁ (PSU) ଗୁଡିକ ବର୍ତ୍ତମାନ ବିକ୍ରି ହେଉଛି । ଆମେ ସମ୍ବିଧାନକୁ ରକ୍ଷା କରିଛୁ । ଏଥି ପାଇଁ ତୁମେ ପ୍ରଧାନମନ୍ତ୍ରୀ ହୋଇଛ ।
ମଲ୍ଲିକାର୍ଜୁନ ଖାର୍ଗେ ଆହୁରି କହିଛନ୍ତି ଯେ ବିଜେପି ସରକାର ପ୍ରତିବର୍ଷ ୨ କୋଟି ଚାକିରିର ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ ସେମାନେ କେବଳ ୭୫ ହଜାର ଚାକିରି ଯୋଗାଉଛନ୍ତି । ୧୮ କୋଟି ଚାକିରି କେଉଁଠାରେ ଅଛି ? ଖାର୍ଗେ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦର ବିକ୍ରି କରୁଛନ୍ତି ଏବଂ ଦେଶର ସମ୍ପତ୍ତି କିଛି ଅଳ୍ପ କିଛି ଲୋକଙ୍କ ହାତକୁ ଯାଉଛି ।