ଅମିତ ଶାହାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା କଂଗ୍ରେସ

0

ନୂଆଦିଲ୍ଲୀ :ଉତ୍ତେଜନାମୂଳକ ଭାଷଣ ଦେବା ତଥା ଦଙ୍ଗାକୁ ଉସକାଇବା ଅଭିଯୋଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛି କଂଗ୍ରେସ। କିଛି ଦିନ ପୂର୍ବେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ଅମିତ ଶାହ ଦେଇଥିବା ବିବାଦୀୟ ତଥା ଉତ୍ତେଜନାମୂଳକ ବୟାନ ନିମନ୍ତେ ଥାନାରେ ଲିଖିତ ଅଭିଯୋଗ କରିଛି କଂଗ୍ରେସ ଟିମ୍‌। ଏନେଇ କଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ ପୁଲିସ୍‌ ଷ୍ଟେଶନରେ ଲିଖିତ ଅଭିଯୋଗ ହୋଇଛି।

ଗତ ମଙ୍ଗଳବାର କର୍ଣ୍ଣାଟକର ବେଲଗାବି ଅଞ୍ଚଳରେ ଏକ ଜନସଭାକୁ ସମ୍ବୋଧନ କରି ଅମିତ ଶାହ କହିଥିଲେ, ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବ ତେବେ ରାଜ୍ୟର ବିକାଶ ‘ରିଭର୍ସ ଗିୟର’ କୁ ଚାଲିଯିବ। ଏଥିସହ ବଂଶବାଦ ରାଜନୀତି ଶୀର୍ଷରେ ପହଞ୍ଚିବ ଓ କର୍ଣ୍ଣାଟକ ଦଙ୍ଗାରେ ପ୍ରପିଡ଼ିତ ହେବ । ଏହାକୁ ତୀବ୍ର ବିରୋଧ କରି କଂଗ୍ରେସ ନ୍ୟାୟ ପାଇଁ ଥାନାମୁହାଁ ହେବା ସହ ନିର୍ବାଚନ କମିଶନରଙ୍କ ନିକଟରେ ବି ଅ଼ଭିଯୋଗ କରିଛି।

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି, ଯଦି ଜଣେ ସାଧାରଣ ଲୋକ ଏପରି ବୟାନ ଦେଇଥାନ୍ତା, ତେବେ ସେ ନିହାତି ଭାବେ ଗିରଫ ହୋଇ ଏବେ ଜେଲ୍‌ ହାଜତରେ ରହିଥାନ୍ତା। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏପରି ବିବାଦୀୟ ଭାଷଣ ଉତ୍ତେଜନା ବଢ଼ାଇବା ସହ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । ତେଣୁ ତାଙ୍କ ବିରୋଧରେ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା।

ଏଥିସହ ସେ କହିଛନ୍ତି, ଜଣେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏପରି ଉତ୍ତେଜନାମୂଳକ ଭାଷଣ ଦେବା ଉଚିତ ନୁହେଁ। ସେ ଭୁଲିବା ଉଚିତ ନୁହେଁ ଯେ, ସେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ, ବିଜେପିର ଷ୍ଟାର ପ୍ରଚାରକ ନୁହନ୍ତି।

Leave A Reply

Your email address will not be published.