ରାଜସ୍ଥାନ (ଆମ ଟିଭି): ରାଜସ୍ଥାନ କଂଗ୍ରେସର ସଙ୍କଟ କମିବାର ନାଁ ଧରୁନି । ଦିନକୁ ଦିନ ବଢୁଛି ସଚିନ ପାଇଲଟ ଓ ଅଶୋକ ଗେହଲଟ ବିବାବ । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜସ୍ଥାନର ଏହି ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିବାବ ବଢିବାରେ ଲାଗିଛି । ଦଳର ହାଇକମାଣ୍ଡ ବହୁବାର ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବିବାଦ କମିବା ପରିବର୍ତେ ଆହୁରୀ ବଢିବାରେ ଲାଗିଛି । ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ଉପରେ ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଡା ମନ୍ତବ୍ୟ ଦେଇଥିଲେ ।
ପାଇଲଟଙ୍କୁ ଗର୍ଦ୍ଦାର କହିବା ସହ ତାଙ୍କୁ ଦଳ କେବେବି ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି କହିଥିଲେ ଗେହଲଟ । ଆଉ ଗେହଲଟଙ୍କ ଏହି ବୟାନ ପରେ ଜବାବ ଉପରେ ଜବାବ ରଖି ପାଇଲଟ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଛ ବୟାନ । ଯାହାର କୌଣସି ଆବଶ୍ୟକତା ନାହିଁ । ରାଜସ୍ଥାନର ଶାସନକୁ ନେଇ ପାଇଲଟ କହିଛନ୍ତି, ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ଦୁଇ ଥର ରାଜସ୍ଥାନରେ ସରକାର ଗଠନ କରିଥିଲା । ହେଲେ ପରେ ଦୁଇ ଥର ନିର୍ବାଚନ ହାରିଯାଇଥିଲ । ପରେ ଦଳର ହାଇକମାଣ୍ଡ ତାଙ୍କୁ ରାଜସ୍ଥାନର ଦାୟିତ୍ୱ ଦେଇଥିଲେ ଆଉ ରାଜସ୍ଥାନରେ ପୁଣି କଂଗ୍ରେସ ସରକାର ଗଠନ କରିଥିଲା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରା ରାଜସ୍ଥାନରେ ଖୁବଶୀଘ୍ର ପହଞ୍ଚିବାର ଥିବା ବେଳେ ଦୁଇ ନେତାଙ୍କ ମଧ୍ୟରେ ଏଭଳି ବିବାଦ ଜାତୀୟ ନେତୃତ୍ୱଙ୍କୁ ଚିନ୍ତାରେ ପକାଇଦେଇଛି । ଦେଖାଯାଉ ଏହି ଦୁଇ ନେତାଙ୍କ ମଧ୍ୟ ବିବାଦ ଆଗକୁ କେଉଁ ରୂପ ନେଉଛି ।