ଚାଇନାରେ ପୁଣି ଫେରିଲା କରୋନା
ସଙ୍ଘାଇ (ଆମ ଟିଭି): ମହାମାରୀ କରୋନାରୁ ଟିକେ ଆସ୍ୱସ୍ତି ମିଳିଥିବା ବେଳେ ଏବେ ପୁଣି ଏକ ବଡ଼ ଖବର ଆସିଛି । ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନାର ପିଛା ଛାଡ଼ୁନି ଏହି ମାରାତ୍ମକ ଭାଇରସ। ପୁଣିଥରେ ଚାଇନାର ଅନ୍ୟତମ ବଡ଼ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ବୁଧବାର ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ ହୋଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏକାଧିକ ସ୍କୁଲକୁ ବନ୍ଦ କରି ଦିଆଯାଇଛି।
ସେହିପରି ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇଛି। ସଙ୍ଘାଇ ଚାଇନାର ଆର୍ଥିକ ପେଣ୍ଠସ୍ଥଳି। ଏଠାରେ ଚାଇନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୀତି ସମାବେଶ କିଛି ଦିନ ମଧ୍ୟରେ ହେବାର ଥିଲା। ହେଲେ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। ସଂଘାଇରେ ୩ଥର ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ଶାସନ ଭାର ଦେବା ପାଇଁ ସମ୍ମିଳନୀ କରିବାକୁ ଯୋଜନା କରାଯାଇଥିଲା। ହେଲେ ଏବେ କରୋନା ଏହି ଯୋଜନାରେ ପାଣି ପକାଇ ଦେବା ଭଳି ଆଶଙ୍କା ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ସଙ୍ଘାଇ ସହରରୁ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ଜୁଲାଇ ୧୩ ପରେ ସବୁଠାରୁ ଅଧିକ।