ପିଲାଙ୍କ ଜୀବନ ନେଉଛି କଫ୍ ସିରପ୍; ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର
ଦେଶରେ ଏବେ କଫ୍ ସିରପ୍ ନେଇ ଚିନ୍ତା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ପିଇ ୧୧ ଜଣ ଶିଶୁଙ୍କର ମୃତ୍ୟୁ ପରେ ଏବେ ଟେନସନରେ କେନ୍ଦ୍ର ସରକାର । କାହିଁକି ଓ କେମିତି କଫ୍ ସିରପ ଦ୍ବାରା କଅଁଳ ଶିଶୁଙ୍କ ଜୀବନ କଲା ସେନେଇ ଆକ୍ସନ ମୋଡକୁ ଆସିଛନ୍ତି ମୋଦୀ ସରକାର । ୨ ବର୍ଷର ଶିଶୁଙ୍କ ପାଇଁ କଫ୍ ସିରପ୍ କଟକଣା ଲଗାଇବା ସହ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର ।
ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ୯ ଶିଶୁ, ରାଜସ୍ଥାନର ଭରତପୁରରେ ଜଣେ ଏବଂ ସିକରରେ ଜଣଙ୍କର ଜୀବନ ନେଇଛି କଫ୍ ସିରପ୍ । ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଶିଶୁ ମୃତ୍ୟୁ ସହ ଜଡ଼ିତ କଫ୍ ସିରପ୍ ନମୁନାରେ କିଡ୍ନି ଆଘାତ ସହିତ ଜଡ଼ିତ କୌଣସି ବିଷାକ୍ତ ପଦାର୍ଥ ମିଳିନାହିଁ । ରାଜ୍ୟ ଅଧିକାରୀଙ୍କ ଦ୍ୱାରା ମଧ୍ୟ ନମୁନାଗୁଡ଼ିକର ପରୀକ୍ଷା କରାଯାଇଥିଲା । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଲାମାନଙ୍କ ପାଇଁ କଫ୍ ସିରପ୍ ବ୍ୟବହାର ସୀମିତ କରିବା ପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ବିଶେଷକରି, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ଉଚିତ ନୁହେଁ ଏବଂ ସାଧାରଣତଃ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ମଧ୍ୟ ଏଭଳି ଔଷଧ ଦେବା ଗ୍ରହଣୀୟ ନୁହେଁ ।