ପୁଣି ବଢ଼ୁଛି କୋଭିଡ୍ ସଂକ୍ରମଣ, ୧ ହଜାର ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା
କିଛି ବର୍ଷର ବ୍ୟବଧାନରେ ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ । ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର କରିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । କୋଭିଡକୁ ନେଇ ଏଯାଏଁ କୌଣସି ଆଡଭାଇଜରି ଜାରି କରିନାହନ୍ତି କେନ୍ଦ୍ର ସରକାର ।
ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍-୧୯ ମାମଲା ହଠାତ୍ ବୃଦ୍ଧି ପାଇଛି । ଏହି ସମସ୍ତ ରାଜ୍ୟରେ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଭାରତରେ କୋଭିଡ-୧୯ ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ଆଜି(ସୋମବାର) ସୁଦ୍ଧା ଦେଶର ଅତି କମ୍ରେ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହସ୍ପିଟାଲ ଗୁଡ଼ିକରେ ଆଇସିୟୁ ବେଡ୍, ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ମୁମ୍ବାଇ, ପୁଣେ ଏବଂ ଥାଣେ ଭଳି ସହରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର ବେଙ୍ଗାଲୁରୁ ରାଜ୍ୟର ହଟ୍ସ୍ପଟ୍ ଭାବରେ ଉଭା ହୋଇଛି । ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ୨୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକାଂଶ କୋଭିଡ ଆକ୍ରାନ୍ତଙ୍କ ସ୍ଥିତି ସାମାନ୍ୟ ରହିଥିବା ବେଳେ ଏମାନଙ୍କର କୌଣସି ପ୍ରକାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନାହିଁ ।