ସମ୍ବଲପୁର (ଆମ ଟିଭି): ବିପଦରେ ହୀରାକୁଦ ନଦୀବନ୍ଧ! ଦିନକୁ ଦିନ ଦୁର୍ବଳ ହେଉଛି ହରାକୁଦ ଡ୍ୟାମ ବନ୍ଧ! ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେଣୁ ହୀରାକୁଦର ଏଭଳି ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ, ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଏହା ସହ ଉଭୟ ବାମ ଓ ଦକ୍ଷିଣ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ଫାଟ ସୃଷ୍ଟି ହୋଇଛି ।
ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ୍ ନିରୀକ୍ଷଣ କରିବାକୁ ଚିଠି ଲେଖାଯାଇଛି । ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ । ୨୦୨୦ରେ ଡିଏସଆରପି ଟିମ୍ ଯାଞ୍ଚ କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସ୍ପିଲୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ୍ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ୧୯୯୯ ପରଠାରୁ ଆଉ ସର୍ଭେ କରାଯାଇନଥିବା ସୂଚନା ମିଳିଛି ।