ସବ୍ୟର୍ଚ୍ଚିତା ଙ୍କୁ ଦେଖିବାପାଇଁ ବାରବାଟୀରେ ଭିଡ଼
ଭୁବନେଶ୍ବର ( ୧୦/୦୧) ସାରା ବିଶ୍ୱରେ ଏବେ ପୁରୁଷ ବିଶ୍ୱକପ ହକିର ଚର୍ଚ୍ଚା। ଲଗାତାର ଦ୍ଵିତୀୟ ଥର ପାଇଁ ପୁରୁଷ ବିଶ୍ୱକପ ହକିର ଆୟୋଜକ ହୋଇ ଆମ ରାଜ୍ୟ ଓଡ଼ିଶା ରେକର୍ଡ଼ ସୃଷ୍ଟି କରି ସାରିଛି।ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବ ବିଶ୍ୱକପ ହକିର ମହାକୁମ୍ଭ।
ଖେଳାଳିମାନଙ୍କ ସ୍ଵାଗତ ସହ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଉଦଘାଟନୀ ଉତ୍ସବକୁ ବୃହତ ଭାବରେ ଆୟୋଜନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟବାସୀ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ ।
ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଚମକିବ ବାରବାଟୀ ଷ୍ଟାଡିୟମ୍, ସେଥିପାଇଁ କିଛି ଦିନ ହେଲା କଳାକାର ମାନେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଶତାଧିକ ନୃତ୍ୟଶିଳ୍ପୀ ନିଜ ନିଜର ଅଭ୍ୟାସ କରୁଛନ୍ତି । ଜାନୁଆରୀ ୧୧ରେ ହେବାକୁ ଥିବା ଏହି ସମାରୋହକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ସହ ପଡ଼ିଆରେ ଆଜି ହୋଇଥିଲା କଳାକାରମାନଙ୍କ ଶେଷ ଅଭ୍ୟାସ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶିତ ହକି ଆଁଥେମ୍ ସମସ୍ତଙ୍କ ମନ ଜିଣିବ। ଆଜି ଓଡ଼ିଶାର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ଓ ଅର୍ଚ୍ଚିତା ଉଦଘାଟନୀ ଉତ୍ସବ ପାଇଁ ପୂର୍ବାଭ୍ୟାସ କରିଥିଲେ । ତାଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ ମାନଙ୍କର ଭିଡ ରହିଥିଲା ।

ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବଲିଉଡ୍ର ଏକାଧିକ ସେଲିବ୍ରେଟି ଓ ପ୍ରାୟ ୩ ହଜାର ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ଧମାଲ କରିବେ ରଣବୀର ସିଂ ଓ ଦିଶା ପଟାନୀ । ଅନୁଷ୍ଠିତ ହେବ ଲେଜର୍ ଶୋ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଫୁଟିବ ବିଭିନ୍ନ କିସମର ରଙ୍ଗୀନ ବାଣ। କାର୍ଯ୍ୟକ୍ରମରେ ଯୋଗଦେବେ ଏକାଧିକ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି।