ଭୁବନେଶ୍ବର (ଆମ ଟିଭି): ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ନିଷ୍ପତ୍ତି । ଟୋଲ୍ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ କଟିବ ନାହିଁ ପ୍ରଦୂଷଣ ଚାଲାଣ । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ନଥିବା ଯାନଗୁଡ଼ିକ ଉପରେ ସମୟ ସୀମା ପର୍ଯ୍ୟନ୍ତ ଜରିମାନା ଲାଗୁ ନ କରିବାକୁ। ସେ ବିଦ୍ୟମାନ ପ୍ରଦୂଷଣ ଜରିମାନା ଗଠନର ସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟରେ, ଯାନବାହାନ ମାଲିକମାନଙ୍କୁ ଅତ୍ୟଧିକ ପ୍ରଦୂଷଣକାରୀ ଯାନ ବ୍ୟବହାର ନକରିବାକୁ ଅନୁରୋଧ କରାଯାଇଛି।
ଏହା ସହ ଏହି ଅବଧି ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ ପରାମର୍ଶ ଦିଆଯାଇଛି । ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ଦିଗରେ ତର୍ଜମା କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।