କଟକ (ଆମ ଟିଭି): କଟକ ସହରରେ ଆଉ ରହିବନି ବସଷ୍ଟାଣ୍ଡ ସମସ୍ୟା । ଏଣିକି ଗୋଟିଏ ବସ୍ ଟର୍ମିନାଲରେ ଲାଗିବ ବସ୍ । ଯାହାଦ୍ୱାରା ହଜାର ହଜାର ଯାତ୍ରୀ ଉପକୃତ ହୋଇପାରିବେ । କଟକ ନେତାଜୀ ବସ ଟର୍ମିନାଲକୁ ଆଜି ଅପରାହ୍ଣରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଉଦଘାଟନୀ ଉତ୍ସବକୁ ଆଖିରେ ରଖି ପ୍ରସ୍ତୁତି କାର୍ୟ୍ୟକୁ ବୁଲି ଦେଖିଛନ୍ତି କଟକ ମେୟର, ଡିସିପି ଓ ସିଡିଏ ଅଧ୍ୟକ୍ଷ । ମୋଟ ୧୬ ଏକର ଜମିରେ ୮୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନେତାଜୀ ବସ ଟର୍ମିନାଲ । ଏଥିରେ ବସ ରହଣୀସ୍ଥଳଠୁ ଆରମ୍ଭ କରି ଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଯାଏଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ।
ନେତାଜୀ ବସ ଟର୍ମିନାଲକୁ ଯାତ୍ରୀବାହୀ ବସ ପ୍ରବେଶ କରିବ, ହେଲେ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହେବାକୁ ଆହୁରି ସମୟ ଲାଗିବ ବୋଲି ସୂଚନା ରହିଛି । ସେପଟେ ଗତ ୫୧ ବର୍ଷ ଧରି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରର କେନ୍ଦ୍ରରେ ରହିଆସିଥିବା ବାଦାମବାଡ଼ି ବସ୍ଷ୍ଟାଣ୍ଡ ଇତିହାସ ହୋଇଯିବ ।