ସାମୁଦ୍ରିକ ଝଡ ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ପ୍ରଳୟ ରଚିବ ବାତ୍ୟା ‘ମୋକା’ । ବାଂଲାଦେଶ ଓ ମିଆଁମାର ଉପକୂଳରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ସାମୁଦ୍ରିକ ଝଡର ପିକ ଆୱାର ରହିବ । ବାଂଲାଦେଶର ଦକ୍ଷିଣ-ପୂର୍ବ ଉପକୂଳ ଏବଂ ମିଆଁମାରର ଉତ୍ତର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସାମୁଦ୍ରିକ ଝଡର ପ୍ରଭାବରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଛି ।
ସମୁଦ୍ର ଭିତରେ ବଳ ଗୋଟାଇ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ ବର୍ଷା ଓ ଭୟଙ୍କର ପବନକୁ ସାଙ୍ଗରେ ଧରି ଉପକୂଲ ଆଡକୁ ବଢୁଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିମି ବେଗରେ ବହିବ । ପବନର ସର୍ବୋଚ୍ଚ ବେଗ ଲ୍ୟାଣ୍ଡଫଲ ବେଳକୁ ଘଣ୍ଟା ପ୍ରତି ୨୪୦ କିମି ବେଗରେ ବହିବା ଆକଳନ କରାଯାଉଛି । ସେପଟେ ମିଆଁମାର ଉପକୂଳ ଅଞ୍ଚଳରେ ମୋକା ପ୍ରଭାବରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି । ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ବାଂଲାଦେଶ ଓ ମିଆଁମାର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।