୬୦ ଟଙ୍କାରେ ବିକ୍ରି ହେବ ଡାଲିି
ନୂଆଦିଲ୍ଲୀ : ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି ତଥ୍ୟ କିଛି ମାତ୍ରାରେ ଆରାମ ଦେଇଛି। ଜୁଲାଇରୁ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ ୪.୮୭ପ୍ରତିଶତକୁ ଖସି ଆସିଛି। ଏହାପୂର୍ବରୁ ସେପ୍ଟେମ୍ବରରେ ଏହା ୫.୦୨ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନିରନ୍ତର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଭାରତ ଡାଲି ବିକ୍ରୟ। ମୁଦ୍ରାସ୍ଫୀତିରେ ଅସୁବିଧା ଭୋଗୁଥିବା ସାଧାରଣ ଜନତାଙ୍କୁ ଆରାମ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଜୁଲାଇ ୨୦୨୩ ରୁ ଚଣା ଡାଲି ବିକ୍ରି ଆରମ୍ଭ କରିଥିଲେ। ଏହାକୁ ‘ଭାରତ ଡାଲି’ ନାମରେ ବିକ୍ରି କରାଯାଉଛି। ଏହି ଡାଲିକୁ ନାଫେଡ, ଏନସିସିଏଫ, କେନ୍ଦ୍ରିୟ ଭଣ୍ଡାର ଏବଂ ସଫଲ ମାଧ୍ୟମରେ ବିକ୍ରି କରାଯାଉଛି।
ଏହା ପୂର୍ବରୁ ଅଟା ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ମୋଦି ସରକାର ଶସ୍ତା ଦାମରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଟାକୁ ଭରତ ବ୍ରାଣ୍ଡ ନାମରେ ବିକ୍ରି କରାଯିବ ଏବଂ ଏହାର ନାମ ‘ଭାରତ ଅଟା’ ରଖାଯାଇଛି। କେନ୍ଦ୍ର ସରକାର କିଲୋଗ୍ରାମ ପିଛା ୨୭.୫୦ ଟଙ୍କା ମୂଲ୍ୟରେ ‘ଭାରତ ଅଟା’ ବିକ୍ରି କରୁଛନ୍ତି। ଇକୋନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଟା ନାଫେଡ, ଏନସିସିଏଫ ଏବଂ କେନ୍ଦ୍ରିୟ ଭଣ୍ଡାରର ୨,୦୦୦ରୁ ଅଧିକ କେନ୍ଦ୍ର ମାଧ୍ୟମରେ ବିକ୍ରି ହେବ। ଏହା ବ୍ୟତୀତ ଏହି ଅଟା ସାରା ଦେଶରେ ୮୦୦ ମୋବାଇଲ ଭ୍ୟାନ ମାଧ୍ୟମରେ ବିକ୍ରି ହେବ।