ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ନେଲେ ବଡ ନିଷ୍ପତ୍ତି । ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ ଦାମ । ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ । ବିଜେଡିରେ ଯୋଗ ଦେବାକୁ ଦାମ ଚାହିଁଥିଲେ ମଧ୍ୟ ସବୁଜ ସଂକେତ ଦେଇନଥିଲେ ନବୀନ । ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ । ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ପୁଅ ସମ୍ବିତ ରାଉତରାୟ କହିଛନ୍ତି, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ମୁଁ ବହୁତ ଖୁସି । ପୂରା ଅଞ୍ଚଳବାସୀ ଏହି ନିଷ୍ପତିକୁ ନେଇ ବହୁତ ଖୁସି ।