ମୟୁରଭଞ୍ଜ(ଆମ ଟିଭି): ଶିମିଳିପାଳରେ କଳା ବାଘର ମୃତ୍ୟୁ । ତାହା ପୁଣି ବାଘ-ବାଘ ଲଢେଇ ଭିତରେ । ଶିମିଳିପାଳ କୋର ଏରିଆ ସାଉଥ ଜୋନରେ କଳାବାଘର ମୃତ୍ୟୁ ହୋଇଛି । ମୃତ ବାଘଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ୩ବର୍ଷ ହେବ । କଳା ବାଘ ଦେହରେ ଅନେକ କ୍ଷତଚିହ୍ନ ରହିଛି । ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯାଇଛି ।
ମୟୂରଭଞ୍ଜ ବଡମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ଠାବ କରିଛି ବନ ବିଭାଗ । ଦୁଇ ବାଘଙ୍କ ଭିତରେ ଲଢ଼େଇରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପିସିସିଏଫ ସୂଚନା ଦେଇଛନ୍ତି । ବାଘର ବୟସ ୩ବର୍ଷ ହେଲା ପରେ ସେମାନେ ନିଜର ସ୍ୱତନ୍ତ୍ର ଟେରିଟୋରୀ ବା ସୀମା ନିର୍ଦ୍ଧାରଣ କରିଥାନ୍ତି । ଏଥିପାଇଁ ଅଣ୍ଡିରା ବାଘଙ୍କ ଭିତରେ ଜୋରଦାର ଲଢ଼େଇ ହୋଇଥାଏ । ସେଥିପାଇଁ ଏହି ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି ।