ଯୋଗୀଙ୍କୁ ହତ୍ୟା ଧମକ: ମହିଳା ଗିରଫ, ୧୦ ଦିନରେ ଇସ୍ତଫା ଦେବାକୁ କରିଥିଲେ ଦାବି

0

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ ରବିବାର ଥାଣେ ସହରରୁ ଫତିମା ଖାନ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି। ଯୋଗୀ ଆଦିତ୍ୟନାଥ ଯଦି ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ମୁମ୍ବଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ହ୍ବାଟସଆପ୍‌ ବାର୍ତ୍ତା ଆସିଥିଲା। ତଦନ୍ତ କରିବା ପରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଫତିମାଙ୍କ ମୋବାଇଲ ଫୋନରୁ ଆସିଥିବା ଜଣାପଡିଥିଲା। ମୋବାଇଲକୁ ଟ୍ରାକିଂ କରାଯାଇ ଫତିମାଙ୍କୁ ଥାଣେରୁ ଗିରଫ କରାଯାଇଥିଲା। ୨୪ ବର୍ଷୀୟା ଫତିମା ଜଣେ ଉଚ୍ଚଶିକ୍ଷିତା ମହିଳା। ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଫତିମାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ତେବେ ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ପ୍ରକୃତ କେଉଁ କାରଣ ରହିଛି, ତାହା ପୁଲିସ ତଦନ୍ତ କରୁଛି। ଚଳିତମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବିଜେପିର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥ ଦଳୀୟ ପ୍ରଚାର କରିବାକୁ ମୁମ୍ବଇ ଆସିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.