ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳା ନବୀକରଣ କାର୍ଯ୍ୟରେ କେତେ କ’ଣ ଖର୍ଚ୍ଚ ହୋଇଛି ସେନେଇ ଦେଶର ଶୀର୍ଷ ଅଡିଟର ତଦନ୍ତ କରିବେ। କେଜ୍ରିୱାଲଙ୍କ ବଙ୍ଗଳା ନିର୍ମାଣରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଚିଠି ପାଇବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଡିଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି) କେଜ୍ରିୱାଲଙ୍କ ଘର ନବୀକରଣରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ସ୍ବତନ୍ତ୍ର ଅଡିଟ୍‌ କରିବେ।

ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍ସରେ ଥିବା କୋଠାର ପୁନଃନିର୍ମାଣରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟ ପାଇଁ ୧୫-୨୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲା। କିନ୍ତୁ ଏଥିପାଇଁ ୫୩ କୋଟି ଖର୍ଚ୍ଚ ହୋଇଛି। ଆପ୍‌ ଉକ୍ତ ଅଡିଟ୍‌ ନିର୍ଦ୍ଦେଶକୁ ବିରୋଧ କରିଛି। କେନ୍ଦ୍ର ସରକାର ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ବୋଲି ଆପ୍‌ ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିର୍ମାଣ ଖର୍ଚ୍ଚ ପ୍ରସଙ୍ଗରେ ସିଏଜି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଦ୍ବାରା ବିଜେପିର ହତାଶା ଏବଂ ଏକଛତ୍ରବାଦ ପଦାରେ ପଡ଼ିଯାଇଛି ବୋଲି ଆପ୍‌ କହିଛି। ବିଜେପି ଶାସିତ ରାଜ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ସରକାର ଫୋକସ୍‌ କରିବା ଉଚିତ ବୋଲି ଆପ୍‌ କହିଛି।

Leave A Reply

Your email address will not be published.