୨୪ ଜାନୁୟାରୀରେ ଦିଲ୍ଲୀ ମେୟର ନିର୍ବାଚନ
ନୂଆଦିଲ୍ଲୀ: ପୌର କାଉନ୍ସିଲର୍ମାନଙ୍କ ବୈଠକ ଡାକିବାକୁ ଉପରାଜ୍ୟପାଳ ଭି. କେ. ସାକ୍ସେନା ସମ୍ମତି ଦେବା ପରେ ଜାନୁଆରି ୨୪ ତାରିଖ ଦିନ ‘ଦିଲ୍ଲୀ ମୁନିସ୍ପାଲ୍ କର୍ପୋରେସନ୍’ର ମେୟର୍ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଜାନୁଆରି ୨୪ ତାରିଖ ମଙ୍ଗଳବାର ଦିନ ନବନିର୍ବାଚିତ ‘ଏମ୍ସିଡି’ କାଉନ୍ସିଲର୍ଙ୍କ ଶପଥ ଗ୍ରହଣ, ମେୟର୍ , ଡେପୁଟି ମେୟର୍ ଏବଂ ଷ୍ଟାଣ୍ଡିଙ୍ଗ୍ କମିଟିର ୬ଜଣ ସଦସ୍ୟଙ୍କ ନିର୍ବାଚନ ଅନୁଷ୍ଠିତ ହେବ।ଜାତୀୟ ରାଜଧାନୀରେ ମେୟର୍ ନିର୍ବାଚନ କରିବା ପାଇଁ ପ୍ରଥମେ ‘ଦିଲ୍ଲୀ ମୁନିସ୍ପାଲ୍ କର୍ପୋରେସନ୍’ (ଏମ୍ସିଡି) ଜାନୁଆରି ୩୦ ତାରିଖକୁ ଦିନ ନିର୍ଦ୍ଧାରଣ କରିଥିଲ ।
୨୫୦ ନିର୍ବାଚିତ କାଉନ୍ସିଲର୍ଙ୍କୁ ନେଇ ‘ଏମ୍ସିଡି ହାଉସ୍’ ଗଠିତ। ମେୟର୍ ଓ ଡେପୁଟି ମେୟର୍ ପଦବୀ ପାଇଁ ହେଉଥିବା ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚିତ ‘ବିଜେପି’ର ୭ଜଣ ଲୋକସଭା ସଦସ୍ୟ, ‘ଆପ୍’ର ୩ଜଣ ରାଜ୍ୟସଭା ସାଂସଦ ଏବଂ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କଦ୍ବାରା ମନୋନୀତ ୧୪ଜଣ ବିଧାୟକ ମଧ୍ୟ ଅଂଶ ଗ୍ରହଣ କରିବେ।
୨୫୦ ଆସନବିଶିଷ୍ଟ ‘ଏମ୍ସିଡି ହାଉସ୍’ରେ ‘ଆପ୍’ର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଛି। ୯ଜଣ କାଉନ୍ସିଲର୍ ଥିବା କଂଗ୍ରେସ ନିର୍ବାଚନରେ ଭାଗ ନେବନାହିଁ ବୋଲି ସ୍ଥିର କରିଛି।