ଅବପାତରେ ପରିଣତ ହୋଇ ଦୁର୍ବଳ ହେଲା ଲଘୁଚାପ

0

ଭୁବନେଶ୍ୱର,( ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚିଲିକା ହ୍ରଦ ନିକଟରେ ଅବପାତରେ ପରିଣତ ହୋଇଥିଲା। ଏହା ପୁଣି ରାତିରେ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଥିବାବେଳେ ରାତି ୧୦ଟା ସୁଦ୍ଧା ପୁରୀଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୪୦ କି.ମି. ଦୂର ଓ ଗୋପାଳପୁରରୁ ଉତ୍ତରପୂର୍ବ ଦିଗରେ ୭୦ କି.ମି. ଦୂରରେ ରହିଥିଲା। ରବିବାର ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରବିବାର ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ଶନିବାର ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ବିଭିନ୍ନ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ତାଳଚେରରେ ୩୫ ମି.ମି ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୩୪.୪, ବୌଦ୍ଧ ୩୧.୬, ଢେଙ୍କାନାଳ ୩୧.୮, ନବରଙ୍ଗପୁର ୨୨, କଟକ ୨୦.୮, ଗୋପାଳପୁର ୨୧.୬, ଟିଟିଲାଗଡ଼ ୨୬ ଓ ମାଲକାନଗିରିରେ ୨୩.୬ ମିମି ବର୍ଷା ରେକର୍ଡ କରାଯାଇଛି।

Leave A Reply

Your email address will not be published.