ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘୧ ଟଙ୍କା

0

ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା। ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହୋଇପାରେ। ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଥିବା ପ୍ରଭାତୀ କହିଛନ୍ତି। ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ ସେମାନଙ୍କୁ ଟଙ୍କା ମିଳିବ । ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିଲେ ଟଙ୍କା ମିଳିବ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିୟମାବଳୀକୁ ପୂରଣ କରୁଥିବା ମଧ୍ୟ ଦରକାର ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ମହିଳାମାନେ ସଶକ୍ତ ହେଲେ ଓଡ଼ିଶାର ବିକାଶ ହେବ। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟ ବିକାଶର ମୂଳମନ୍ତ୍ର। ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବେ ବୋଲି ଜନତା ମଇଦାନରେ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍‌ ନିଜ ଜନ୍ମଦିନରେ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ୍‌ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

କିଛି ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଆସି ନ ଥିଲା। ପୁଣି ଆବେଦନ କରିଥିବା ମହିଳାମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ପାଇଁ ପରୀକ୍ଷାମୂଳକ ଭାବେ ଆଜି ପୁଣି ୧ ଟଙ୍କା ଆକାଉଣ୍ଟକୁ ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏଥର ବି ବାଦ୍‌ ପଡ଼ିବେ ସେମାନେ ହତୋତ୍ସାହିତ ନ ହୋଇ ମାର୍ଚ୍ଚ ୮ ତାରିଖ ସୁଦ୍ଧା ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

 

 

Leave A Reply

Your email address will not be published.