ଆଠଗଡ଼ (ଆମ ଟିଭି): ଝୁଲା ପୋଲ ଅସୁରକ୍ଷିତ ହେବା ପରେ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ ଥିଲା । ମିନ୍ତୁ ଏହାରି ଭିତରେ ଏକ ଆସ୍ୱସ୍ତିକର ଖବର ଆସିଛି । ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏନେଇ ଆଜି ପ୍ରଶାସନିକ ସୂଚନା ମିଳିଛି। ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଭକ୍ତମାନେ ନଦୀ ପାରି ହୋଇ ଠାକୁର ଦର୍ଶନ ପାଇଁ ଯାଇପାରିବେ। ଧବଳେଶ୍ଵର ପୀଠରେ ପୂଜକ ସମିତି ସହ ପ୍ରଶାସନର ଆଲୋଚନା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ।
ଉପଜିଲ୍ଲାପାଳ କହିଛନ୍ତି, ପୀଠ ଖୋଲା ଅଛି। ହେଲେ ସାଧାରଣ ଭକ୍ତ କିପରି ପୀଠରେ ପହଞ୍ଚି ଠାକୁର ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କ ପୀଠରେ ପହଞ୍ଚିବାର ଏକମାତ୍ର ବିକଳ୍ପ ଡଙ୍ଗା। ତେଣୁ ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ। ଆସନ୍ତା ମଙ୍ଗଳବାର ଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଗହଳି ଦିନମାନଙ୍କରେ ଡଙ୍ଗା ଜରିଆରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବ। ଡଙ୍ଗା ଜରିଆରେ କେତେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଛନ୍ତି ଓ କେତେ ଗହଳି ଜମୁଛି, ତାହାକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।