ସ୍ନାନ ମଣ୍ଡପରେ ୩ ଘଣ୍ଟା ଭକ୍ତଙ୍କୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ(ଆମ ଟିଭି): ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଚଳିତ ବର୍ଷ ସ୍ନାନ ମଣ୍ଡପରେ ୩ ଭକ୍ତଙ୍କୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ। ତେବେ ଏହି ସମୟରେ କୌଣସି ଭକ୍ତ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଆଜି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ମୁତାବକ, ଜୁନ୍ ୧୪ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀରେ ମୋହର ମାରିଛି ପରିଚାଳନା କମିଟି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ। ଏହିଦିନ ଭକ୍ତ ମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ଦର୍ଶନ କରିପାରିବେ। ଏହି ବୈଠକରେ ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଏହାଛଡ଼ା ସେବାୟତ ବାସ ଗୃହ ଯୋଜନା, ଆଦର୍ଶ ଗୁରୁକୁଳ ପାଇଁ ହୋଇଥିବା ସୋସାଇଟି ଓ ବାଇଲ ଅନୁମୋଦନ ସହ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିଲା।